ଦିନେ ଏପିଜେ ଅବଦୁଲ୍ କଲାମ୍ କହିଥିଲେ , ସ୍ବପ୍ନ ସେ ନୁହଁ ଯାହା ଶୋଇକରି ଦେଖାଯାଏ , ଯିଏ ଶୋଇବାକୁ ଦିଏନି ତାକୁ କୁହାଯାଏ ସ୍ବପ୍ନ । ମିସାଇଲ୍ ମ୍ୟାନଙ୍କ ଏହି ଉକ୍ତିକୁ ସତ କରିଦେଖାଇଛନ୍ତି ପଶ୍ଚିମବଙ୍ଗର ୨୧ ବର୍ଷୀୟ ଯୁବକ ସରଫରାଜ୍ । ଅଭାବର ପଙ୍କରୁ ଉଠି ସରଫରାଜ୍ ଏମିତି ପଦ୍ମ ଫୁଟାଇଛନ୍ତି ଯେ ଯାହାର ମହକ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ଦିନମଜୁରିଆ ଭାବେ କାମ କରି ଦିନକୁ ୪୦୦ ଇଟା ବୋହି ୩୦୦ ଟଙ୍କା ପାଉଥିବା ସରଫରାଜ୍ ଦେଖିଥିଲେ ବଡ଼ ସ୍ବପ୍ନ । ଯାହାକୁ ସେ ସାକାର କରି ମଧ୍ୟ କରିଦେଖାଇଛନ୍ତି । ଶ୍ରମିକ ହୋଇ ପରିଶ୍ରମ ଆଉ ବିଦ୍ୟାର୍ଥୀ ହୋଇ କଠିନ ପରିଶ୍ରମ କରିଥିଲେ ସରଫରାଜ୍ । ନିଟ୍ ୨୦୨୪ ପରୀକ୍ଷାରେ ୭୨୦ ରୁ ୬୭୭ ମାର୍କ ହାସଲ କରିଛନ୍ତି ଏହି ଯୁବକ ଜଣକ । ଏକଦା କୋଚିଂ ପ୍ଲାଟଫର୍ମ ଫିଜିକ୍ସବାଲାର ସଂସ୍ଥାପକ ଅଲଖ ପାଣ୍ଡେ ସରଫରାଜଙ୍କ ଏକ ଭିଡ଼ିଓ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ଭିଡିଓଟି ଭାଇରାଲ୍ ହେବା ପରେ ସାରା ଦେଶରେ ସରଫରାଜଙ୍କ ଚର୍ଚ୍ଚା ଯେମିତି ବଢିଯାଇଥିଲା । 

Advertisment

sarfaraz

ନିଟ୍ ପରୀକ୍ଷା ପାଇଁ ସରଫରାଜ୍ ୨ ବର୍ଷ ଧରି କଠିନ ପରିଶ୍ରମ କଲେ । ସକାଳ ୬ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ସେ ଇଟା ବୋହୁଥିଲେ , ୨ ଟା ପରେ ନିଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିଲେ । ଅନ୍ୟ ଶ୍ରମିକ ତାଙ୍କୁ ଟାହିଟାପରା କରୁଥିଲେ ହେଁ ଉଚ୍ଚାମନା ଯୁବକଜଣକ କାହା କଥାକୁ ଗୁରୁତ୍ବ ନ ଦେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ତାଙ୍କର ସଫଳତାରେ ମା’ଙ୍କ ଭୂମିକା ଅତୁଳନୀୟ ଥିଲା। ସରଫରାଜଙ୍କ ଭଙ୍ଗା ଘରେ ଛାତ ନଥିଲା , ପୁଅ ସହ ମା’ ରାତି ରାତି ଉଜାଗର ରହୁଥିଲେ କାରଣ ପୁଅକୁ ଥଣ୍ଡା ଯେମିତି ନଲାଗୁ । ଶେଷରେ ସରଫରାଜଙ୍କ ପରିଶ୍ରମ ରଙ୍ଗ ଆଣିଲା , କୋଲକାତାର ଏନଆରଏସ୍ ମେଡିକାଲ୍ କଲେଜରେ ସରଫରାଜ୍ ଯେତେବେଳେ ଆଡମିସନ୍ ନେଲେ ଟାହିଟାପରା କରୁଥିବା ଲୋକଙ୍କ ସ୍ବର ଶୁଭେଚ୍ଛାରେ ବଦଳିଲା । 

0999

ଦିନମଜୁରିଆରୁ ଡାକ୍ତର ହେବାର ସ୍ବପ୍ନ ସରଫରାଜଙ୍କ ପାଇଁ ସହଜ ନଥିଲା । ଦଶମ ପରେ ଏନଡିଏରେ ସାମିଲ୍ ହେବା ପାଇଁ ସେ ସ୍ବପ୍ନ ଦେଖିଥିଲେ । କିନ୍ତୁ ଆର୍ଥିକ ଅବସ୍ଥା ଏତେ ଶୋଚନୀୟ ହେଲା ଯେ ତାଙ୍କ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା। କରୋନା ସମୟରେ ସରଫରାଜଙ୍କୁ ଏକ ଫୋନ୍ କିଣିବା ପାଇଁ ସହାୟତା ରାଶି ମିଳିଥିଲା ଯାହା ତାଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ସୁଯୋଗ ସୃଷ୍ଟି କଲା । ଦିନମଜୁରିଆ କାମ କରୁଥିବା ଯୁବକ ଜଣକ ୟୁଟ୍ୟୁବ୍ ଜରିଆରେ ପାଠପଢା ଆରମ୍ଭ କଲେ ଏବଂ ଏକ କୋର୍ସ କଲେ। ପ୍ରଥମ ନିଟ୍ ପ୍ରୟାସରେ ହିଁ ସେ ପାସ୍ କଲେ ଏବଂ ଡେଣ୍ଟାଲ୍ କଲେଜରେ ଆଡମିଶନ୍ ନେଲେ। କିନ୍ତୁ ହଷ୍ଟେଲ୍ ସୁବିଧା ନଥିବା କାରଣରୁ ଅଧାରୁ ପଢା ବନ୍ଦ କଲେ । ସରଫରାଜ୍ ପୁଣିଥରେ ୨୦୨୪ ରେ ପ୍ରୟାସ କରି ସଫଳତା ହାସଲ କଲେ । ତାଙ୍କ ପାଠପଢାର ସମ୍ପୁର୍ଣ୍ଣ ଖର୍ଚ୍ଚ ଉଠାଇବା ପାଇଁ ଅଲଖ ପାଣ୍ଡେ ସରଫରାଜଙ୍କୁ ପ୍ରତିଶୃତି ଦେଇଛନ୍ତି ।