କନକ ବ୍ୟୁରୋ : ନିଜ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା । ଦୋହା ଡାଇମଣ୍ଡ ଲିଗ୍‌ରେ ୯୦.୨୩ ମିଟର୍ ଜାଭେଲିନ୍ ଥ୍ରୋ’ କରି କ୍ୟାରିଅର୍‌ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା । ଲିଗ୍‌ର ଜାଭେଲିନ୍ ଇଭେଣ୍ଟରେ ନୀରଜ ନିଜର ତୃତୀୟ ପ୍ରୟାସରେ ୯୦.୨୩ ମିଟର ଥ୍ରୋ’ କରି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । 

Advertisment

ତେବେ ଜର୍ମାନୀର ଭେଟେରାନ୍ ଜୁଲିୟନ ୱେବର ୯୧.୦୬ ମିଟର ଥ୍ରୋ’ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ୱେବର ନିଜର ଷଷ୍ଠ ପ୍ରୟାସରେ ଏହି ସଫଳତା ପାଇଛନ୍ତି । ନୀରଜଙ୍କ ବ୍ୟତୀତ ଭାରତର ଅନ୍ୟତମ ଖେଳାଳି ତଥା ଓଡ଼ିଶାର କିଶୋର ଜେନା ନୈରାଶ୍ୟଜନକ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନରେ ରହିଛନ୍ତି । ଲିଗ୍‌ରେ ନୀରଜ ନିଜର ପ୍ରଥମ ପ୍ରୟାସରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ୮୮.୪୪ ମିଟର ଜାଭେଲିନ୍ ଥ୍ରୋ’ କରିଥିଲେ । ତେବେ ଦ୍ୱିତୀୟ ପ୍ରୟାସ ଫାଉଲ୍ ରହିଥିବା ବେଳେ ତୃତୀୟ ପ୍ରୟାସରେ ସଫଳତା ପାଇଥିଲେ । ପ୍ରଥମଥର ନୀରଜ କ୍ୟାରିଅର୍‌ରେ ୯୦ ମିଟର ବାଧା ଅତିକ୍ରମ କରିଛନ୍ତି । ଏଥିସହ ନୀରଜ ଜାଭେଲିନ୍‌ ଥ୍ରୋ’ରେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । କିଶୋର ପ୍ରଥମ ପ୍ରୟାସରେ ୭୮.୬୦ ମିଟର ଥ୍ରୋ’ କରିଥିଲେ ।