କନକ ବ୍ୟୁରୋ :  ରାତି ପାହିଲେ ସଂଘର୍ଷ ।  ଜୀବନ ଖାଲି ଯନ୍ତ୍ରଣା ଆଉ ଯନ୍ତ୍ରଣା । ଏଠି ରୋଗ, ଶୋକ, ଭୋକ ସମସ୍ତେ ରାଜ କରନ୍ତି । ଯେଉଁଠି ଜୀବନ ଅନ୍ଧାର ପାଲଟିଯାଇଛି, ସେଠି ଆଲୋକର ପର୍ବ ଦୀପାବଳିର କିଛି ମାନେ ନାହିଁ । ଶେଜରେ ପଡ଼ିଛନ୍ତି ବାଲେଶ୍ୱର ଜଳେଶ୍ୱର ବ୍ଲକ ଦେବକୁମାର ଗାଁର ଭଗବାନ ଦଳାଇ ।  ସ୍ତ୍ରୀ ବିଷ୍ଣୁପ୍ରୀୟା ଏବଂ ତିନି ପିଲାଙ୍କୁ ନେଇ ତାଙ୍କ ସଂସାର । ଗୁଜୁରାଟର ଏକ ଘରୋଇ କମ୍ପାନୀରେ ଚାକିରି କରି ପିଲାଙ୍କ ମୁହଁରେ ଦାନା ଦେଉଥିଲେ ଭଗବାନ ।  ହେଲେ ଦୁର୍ଭାଗ୍ୟ ବଶତଃ କମ୍ପାନୀ ୫ ମହଲା ଛାତରୁ ପଡ଼ି ଭଗବାନଙ୍କ ମେରୁଦଣ୍ଡ ଏବଂ ପିଞ୍ଜରା ହାଡ଼ ଭାଙ୍ଗି ଯାଇଛି ।

Advertisment

ବାପା ବେଡରେ ପଡ଼ିଛନ୍ତି, ରୋଜଗାରର ବାଟ ନାହିଁ । ଏଣେ ୧୧ ବର୍ଷର ଝିଅ ହୃଦରୋଗରେ ଶିକାର । ପାଖରେ ଅର୍ଥ ନଥିବାରୁ ବାପା-ଝିଅ ଦୁଇ ଜଣଙ୍କ ଚିକିତ୍ସା ଅଧାରେ ଅଟକି ରହିଛି । ନିଜର ଜମିବାଡି ନଥିବାରୁ ସରକାରୀ ଜାଗାରେ ଘର କରି ରହୁଛନ୍ତି । ସ୍ତ୍ରୀ ବିଷ୍ଣୁପ୍ରୀୟା ଭିକ ମାଗି ଦାନା ଯୋଗାଡ଼ କରୁଛନ୍ତି । ଓଳିଏ ଖାଇଲେ, ଓଳିଏ ଉପାସ ରହୁଥିବା ପରିବାର ମୁହଁରେ ଚେନାଏ ହସ ଫୁଟାଇବା ପାଇଁ ଅଂଟା ଭିଡ଼ିଛନ୍ତି, ସ୍ୱେଚ୍ଛାସେବୀ ସଂଗଠନ ହେଲ୍ପ ଫର ୟୁ ପାଉଣ୍ଡେସନ । ଚିକିତ୍ସା ପାଇଁ ଅର୍ଥିକ ସହାୟତା ସହିତ ମାସକର ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ଗୋଟିଏ ଏୟାର ବେଡ, ପିଲାଙ୍କ ପାଠ ଉପକରଣ ଓ ନୂଆ ବସ୍ତ୍ର ଦେଇ ପୁରା ପରିବାର ଆଖିରେ ଖୁସିର ଲୁହ ଭରି ଦେଇଛନ୍ତି । 

ଭଗବାନଙ୍କ ପରିବାର ଭଳି ଅନେକ ପରିବାର ଅଛନ୍ତି। ଯେଉଁମାନେ ଜୀବନ ଜିଇଁବା ପାଇଁ ଅହରହ ସଂଘର୍ଷ କରୁଛନ୍ତି । ଦୁଃଖ ଦୁର୍ଦଶା ଭିତରେ ଧନ୍ଦି ହେଉଛନ୍ତି । ଚାଲନ୍ତୁ ଦୀପାବଳିରେ ବାଣ ଫୁଟାଇବା ଅପେକ୍ଷା ସେଭଳି ପରିବାର ମୁହଁରେ ହସ ଫୁଟାଇବା ।