କନକ ବ୍ୟୁରୋ: ଭାରତର ମୁନ୍‌ ମିଶନ ଆଉ ଏକ ପାଦ ଆଗକୁ ବଢିଛି । ଚନ୍ଦ୍ରଯାନ-୪ ମିଶନ ଲଞ୍ଚ୍‌ ହେବା ପୂର୍ବରୁ ହିଁ ଏବେ କେନ୍ଦ୍ର ସରକାର ମିଶନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଇସ୍ରୋର ନୂଆ ଅଧ୍ୟକ୍ଷ ଭି.ନାରାୟଣଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ନିକଟରେ ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇସ୍ରୋ ଅଧ୍ୟକ୍ଷ ମୁନ୍‌ ମିଶନ ଫାଇଭ୍‌ ସମ୍ବନ୍ଧିତ ଅଳ୍ପ ବହୁତ ସୂଚନା ଦେଇଛନ୍ତି । ଚନ୍ଦ୍ରଯାନ-୩ରେ ୨୫କେଜି ରୋଭର୍‌ ପ୍ରଜ୍ଞାନ ଯେପରି ଚନ୍ଦ୍ରପୃଷ୍ଠକୁ ଯାଇଥିଲା ଠିକ ସେହିପରି ମୁନ୍‌ ମିଶନ ଫାଇଭ ବା ଚନ୍ଦ୍ରଯାନ-୫ରେ ୨୫୦ କେଜି ରୋଭରକୁ ପଠାଯାଇ ଚନ୍ଦ୍ରପୃଷ୍ଠର ଅଧ୍ୟୟନ କରାଯିବ । 

Advertisment

୨୦୨୭ରେ ଇସ୍ରୋ ଚନ୍ଦ୍ରଯାନ-୪ ମିଶନକୁ ଲଞ୍ଚ୍‌ କରିବା ନେଇ ଲକ୍ଷ୍ୟ ରଖିଛି । ଚନ୍ଦ୍ରଯାନ-୪ ଏକ ଗୁରୁତ୍ବପୂର୍ଣ୍ଣ ମିଶନ ହେବ । ଏହା କେବଳ ଚନ୍ଦ୍ରର ଦକ୍ଷିଣ ମେରୁ ଉପରେ ନରମ ଅବତରଣ ବା ସଫ୍ଟ ଲ୍ୟାଣ୍ଡିଂ କରିବ ନାହିଁ ବରଂ ନମୁନା ସଂଗ୍ରହ କରିବ ଓ ପରବର୍ତ୍ତୀ ପରୀକ୍ଷଣ ମଧ୍ୟ କରିବ । ଏହି ମିଶନରେ ୯ହଜାର ୨ଶହ କିଲୋଗ୍ରାମ୍‌ର ସାଟେଲାଇଟ୍‌ ଚନ୍ଦ୍ରକୁ ପଠାଯିବ । ଏହାର ଓଜନ ଚନ୍ଦ୍ରଯାନ-୩ ଠାରୁ ୪ହଜାର କେଜି ଅଧିକ ।  ତେବେ ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଜାପାନ ସହ ମିଳିତ ଭାବରେ ଏହି ମିଶନ କାର୍ଯ୍ୟକାରୀ ହେବ । ଇସ୍ରୋର ଆଗାମୀ ପ୍ରୋଜେକ୍ଟ ଗଗନଯାନ ସମେତ ବିଭିନ୍ନ ମିଶନ ଉପରେ କାମ କରୁଛି ।