କନକ ବ୍ୟୁରୋ: ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ, ସରକାର ଗଢ଼ିବା ସ୍ପଷ୍ଟ ହୋଇଛି। ମାତ୍ର କିଏ ଧରିବେ ମଙ୍ଗ ଏହାକୁ ନେଇ ଦେଖାଦେଲାଣି ଦ୍ବନ୍ଦ୍ୱ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଦେବେନ୍ଦ୍ର ଫଡନାବିସ୍ କହିଛନ୍ତି, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ଏନେଇ ତିନି ଦଳ ମିଳିତ ଭାବେ ନିଷ୍ପତ୍ତି ନେବେ। କିନ୍ତୁ ତଥାପି ମୁଖିଆ ଦାୟିତ୍ବ କାହା ହାତକୁ ଯିବ, ତାହା ସ୍ପଷ୍ଟ ହୋଇନାହିଁ।
୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ବହୁମତଠାରୁ ବହୁ ଆଗରେ ରହିଛି ମହାୟୁତି ମେଣ୍ଟ । ବଡ଼ ବିଜୟ ସହ ସରକାର ଗଢ଼ିବା ସ୍ପଷ୍ଟ ହୋଇଛି । ଯାହା ମେଣ୍ଟର ମୁଖିଆ ପଦବୀକୁ ନେଇ ଦ୍ୱନ୍ଦ୍ୱକୁ ବଢ଼ାଇ ଦେଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି, ଶିବସେନା ସିନ୍ଦେ ଗୋଷ୍ଠୀ ଓ ଏନସିପି ଅଜିତ ପୱାର ଗୋଷ୍ଠୀ ମଧ୍ୟରେ ଟଣାଓଟରା ହେବା ଆଶଙ୍କା କରାଯାଉଛି । ମାତ୍ର ଉଭୟ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସ୍ କୌଣସି ପ୍ରକାର କଳିକୁ ଏଡ଼ାଇ ଯାଇଛନ୍ତି । ପୂର୍ବ ନିଷ୍ପତ୍ତି ଅନୁସାରେ ସଂଖ୍ୟା ଗରିଷ୍ଠ ଦଳକୁ ନେତୃତ୍ୱ ନେବାର ସୁଯୋଗ ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି।
ମହାରାଷ୍ଟ୍ରର ମହାବଳୀ ମହାୟୁତି
ବିଜେପି ମେଣ୍ଟକୁ ବଡ଼ ବିଜୟ
ମହାରାଷ୍ଟ୍ରରେ ମହାୟୁତି ମେଣ୍ଟକୁ ଯେଉଁଭଳି ବିଜୟ ମିଳିଛି ତାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି । ହେଲେ ଏହି ବିଜୟ ପଛରେ ବିଜେପି ରଣନୀତିକୁ ଅଣଦେଖା କରାଯାଇ ନପାରେ। ଅପରେସନ୍ ଲୋଟସ୍ ଜରିଆରେ ଶିବସେନା ଓ ଏନସିପିରେ ଫାଟ ହେବା ପରେ ମହାୟୁତି ମେଣ୍ଚ ଅଧିକ ଶକ୍ତିଶାଳୀ ହୋଇଛି । ଆଉ ମହାବିକାଶ ଅଘାଢ଼ିକୁ ଦୁର୍ବଳ କରିବାରେ ସମର୍ଥ ହୋଇଛି । ତେଣୁ ବିଜୟର ଶ୍ରେୟ କାହାକୁ ଯିବ ? ଏକନାଥ ସିନ୍ଦେ ପୁଣି ହେବେ ରାଜ୍ୟ ମୁଖିଆ ? ନା ଦେବେନ୍ଦ୍ର ଫଡନଭିସ୍ଙ୍କୁ ମିଳିବ ଦାୟିତ୍ୱ ? ଏନ୍ସିପିର ଅଜିତ ପୱାରଙ୍କୁ ଅଣଦେଖା କରାଯିବ କି ? ଏଭଳି ଅନେକ ପ୍ରଶ୍ନ ଆଗକୁ ମେଣ୍ଟର ସମସ୍ୟା ବଢ଼ାଇ ପାରେ ।
୨୦୧୯ରେ ବିଜେପି ଓ ଶିବସେନା ମିଳିତ ଭାବେ ଲଢିଥିଲେ ନିର୍ବାଚନ। ହେଲେ ମେଣ୍ଟର ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ଦଳ ଭିତରେ ହୋଇଥିଲା ଟଣାଓଟରା । ଆଉ ବିଜେପିର ହାତଛାଡ଼ି କଂଗ୍ରେସ ଓ ଏନ୍ସିପି ସହ ମିଶି ସରକାରରେ ବସିଥିଲା ଶିବସେନା । ଏବେ ଯେ, ସେହି ଘଟଣାର ପୁନରାବୃତ୍ତି ନହେବ ସେକଥା କିଏ କହିବ ?
ବିଜେପି, ଶିବସେନା (ସିନ୍ଦେ ଗୋଷ୍ଠୀ) ଓ ଏନସିପି (ଅଜିତ ପୱାର ଗୋଷ୍ଠୀ)ଙ୍କୁ ନେଇ ମହାୟୁତି ମେଣ୍ଟ । ବିଜେପି୧୪୫ ଆସନରେ ଲଢ଼ି ୧୩୦ରୁ ଅଧିକ ଆସନ ପାଇଛି । ଶିବସେନା ୮୫ ଆସନରେ ଲଢ଼ିଥିବାବେଳେ ୫୫ ଆସନ ଓ ଏନସିପି ୮୬
ଟି ଆସନରେ ପ୍ରାର୍ଥୀ ଦେଇ ୪୧ଟି ଆସନ ହାତେଇବାରେ ସମର୍ଥ ହୋଇଛନ୍ତି ।