କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମେଣ୍ଟ ଭିତରେ ଏପର୍ଯ୍ୟନ୍ତ ଆସନ ବୁଝାମଣା ହୋଇନାହିଁ । ହେଲେ ଆସନ ବୁଝାମଣା ନେଇ ଫର୍ମୁଲା ପ୍ରସ୍ତୁତ ହୋଇଛି । ଏଥର ବିହାର ଏନଡିଏ ମେଣ୍ଟରେ ବିଜେପି ବଡ଼ଭାଇର ଭୂମିକା ନିର୍ବାହ କରିବ । ଚିରାଗ ପାସୱାନଙ୍କୁ କେତେ ଆସନ ମିଳିବ ତାହା ମଧ୍ୟ ନିର୍ଦ୍ଧାରିତ ହୋଇଛି । କେବଳ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପର୍ଯ୍ୟନ୍ତ ଏନଡିଏ ଆସନ ବାବଦରେ ଘୋଷଣା କରିବା ବାକି ରହିଛି । 

Advertisment

ଅକ୍ଟୋବର ପ୍ରଥମ କି ଦ୍ୱିତୀୟ ସପ୍ତାହରେ ନିର୍ବାଚନ ଆୟୋଗ ବିହାର ନିର୍ବାଚନ ନେଇ ତାରିଖ ଘୋଷଣା କରିପାରନ୍ତି । ସେପଟେ ସୂତ୍ର ସୂଚନା ମୁତାବକ ଏନଡିଏ ଓ ତା'ର ସହଯୋଗୀ ଦଳମାନଙ୍କ ମଧ୍ୟରେ ଆସନ ବୁଝାମଣା ନେଇ ଫର୍ମୁଲା ପ୍ରସ୍ତୁତ ହୋଇଛି । ଗତ ବିଧାନସଭା ନିର୍ବାଚନରେ ଏନଡିଏ ଯେଉଁ ଫର୍ମୁଲାରେ ଆସନ ବୁଝାମଣା କରିଥିଲା ଏଥର ମଧ୍ୟ ସେହି ପର୍ମୁଲା ଆପଣାଯାଇଛି । ହେଲେ ଏଥର ଏନଡିଏରେ ଚିରାଗ ପାସୱାନଙ୍କୁ ଆଡଜଷ୍ଟ କରିବାକୁ ପଡ଼ିବ । ଚିରାଗ ପାସୱାନ ୪୦ ଆସନ ମାଗୁଥିବା ବେଳେ ଜେଡିୟୁ କିନ୍ତୁ ଏଥିରେ ଅସହମତ ହୋଇଛି । ସେପଟେ ବିଜେପି ୧୦୦ ଓ ଜେଡିୟୁ  ୧୦୦ ଟି ଆସନରେ ଲଢିବାକୁ ନିଷ୍ପତ୍ତି ହୋଇଛି ।

୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ୧୧୦ ଟି ଆସନରେ ନିର୍ବାଚନ ଲଢ଼ି ୭୪ ଟି ଆସନରେ ବିଜୟୀ ହୋଇଥିଲା । ହେଲେ ଜେଡିୟୁ ୧୧୫ ଆସନରେ ଲଢ଼ି ମାତ୍ର ୪୩ ଟି ଆସନରେ ବିଜୟୀ ହୋଇଥିଲା । ଗତ ନିର୍ବାଚନରେ ମୁକେଶ ଶାହାଣୀଙ୍କ ଭିଆଇପି ପାର୍ଟି ବି ଏନଡିଏ ମେଣ୍ଟରେ ଥିଲା । ପାର୍ଟିକୁ ୧୩ ଟି ଆସନରେ ଲଢିବାର ସୁଯୋଗ ଦିଆଯାଇଥିଲା । ହେଲେ ଦଳ ମାତ୍ର ୪ ଟି ଆସନରେ ବିଜୟୀ ହୋଇଥିଲା । ସେହିଭଳି ଜିତନରାମ ମାଞ୍ଝୀଙ୍କ ପାର୍ଟିକୁ ୭ ଟି ଆସନରେ ଲଢିବାକୁ ସୁଯୋଗ ଦିଆଯାଇଥିବା ବେଳେ ଦଳ ୪ ଟି ଆସନରେ ବିଜୟୀ ହୋଇଥିଲା । ହେଲେ ଏଥର ସେ ୨୦ ଟି ଆସନ ମାଗୁଛନ୍ତି । 

ଏଥର ବିହାର ଏନଡିଏ ମେଣ୍ଟରେ ୫ ଦଳ ରହିଛନ୍ତି । ବିଜେପ ଓ ଜେଡିୟୁ ୧୦୦ ଟି ଲେଖାଏଁ ଆସନରେ ଲଢିବେ ବୋଲି ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ବାକି ୪୩ ଆସନକୁ ବାକି ୩ ଟି ଦଳ ମଧ୍ୟରେ ବଣ୍ଟାଯିବ । ଏହି କ୍ରମରେ ଚିରାଗ ପାସୱାନଙ୍କ ପାର୍ଟିକୁ ୨୦-୨୫ ଆସନ ଦିଆଯାଇପାରେ ।