କନକ ବ୍ୟୁରୋ: ୨୦୨୪ରେ ଏନଡିଏ ସରକାର ତୃତୀୟ ଥର କ୍ଷମତାକୁ ଆସିବା ପରେ ଦିଲ୍ଲୀରେ ପ୍ରଥମ ବଡ଼ ବୈଠକ । ଯେଉଁଥିରେ ପାରିତ ହୋଇଛି ତିନିଟି ବଡ଼ ପ୍ରସ୍ତାବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କନକ୍ଲେଭରେ ସାମିଲ ହୋଇଛନ୍ତି ୨୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୮ ଉପ-ମୁଖ୍ୟମନ୍ତ୍ରୀ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ଏହି ବୈଠକରେ ସାମିଲ ହୋଇଛନ୍ତି । ଖାଲି ସେତିକି ନୁହେଁ, ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
- ଦିଲ୍ଲୀରେ ଏନଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକ
- ମୋଦୀଙ୍କ ନେତୃତ୍ୱରେ ୩ ପ୍ରସ୍ତାବ ପାରିତ
ଏନଡିଏ ମୁଖ୍ୟମନ୍ତ୍ରୀଙ୍କ କନକ୍ଲେଭରେ, 'ଅପରେସନ ସିନ୍ଦୂର'ର ସଫଳତା ପାଇଁ ସେନା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରସ୍ତାବ ପାରିତ ହୋଇଛି । ଏହାସହ ଆଗାମୀ ଜନଗଣନାରେ ଜାତିଭିତ୍ତିକ ଗଣନା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ପ୍ରସ୍ତାବ ପାରିତ ହୋଇଛି । ସେହିପରି ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ନେଇ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ଏନଡିଏ ସହଯୋଗୀ ।
'ଅପରେସନ୍ ସିନ୍ଦୂର' ଜରିଆରେ ଏନଡିଏ ସରକାର ଏକ ସୁରକ୍ଷିତ, ସମୃଦ୍ଧ ଓ ଏକଜୁଟ ଭାରତର ଲକ୍ଷ୍ୟକୁ ହାସଲ କରିପାରିଛି । ନୂଆ ଭାରତରେ ଆତଙ୍କବାଦ ଓ ଏହାକୁ ପ୍ରୋତ୍ସାହନ ଦେଉଥିବା ଦେଶକୁ ବରଦାସ୍ତ କରାଯିବ ନାହିଁ । କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଆତଙ୍କବାଦ ବିରୋଧରେ ସାରା ବିଶ୍ୱ ଭାରତ ସହ ଛିଡ଼ା ହୋଇଛି ବୋଲି ଏନଡିଏ ବୈଠକରୁ ବାର୍ତ୍ତା ଦିଆଯାଇଛି । ସେହିପରି ଆଗକୁ ବିହାର ବିଧାନସଭା ନିର୍ବାଚନଥିବାରୁ ଜାତିଭିତ୍ତିକ ଜନଗଣନା ଏନଡିଏ ସରକାରଙ୍କୁ ବଡ଼ ଫାଇଦା ଆଣିଦେବ ବୋଲି କୁହାଯାଉଛି । ବିହାର ଭୋଟରେ ଜାତି, ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବାରୁ ବିରୋଧୀଙ୍କୁ କାଉଣ୍ଟର କରିବାରେ ଏହା ଏନଡିଏ ମେଣ୍ଟର ବଡ଼ ରାଜନୈତିକ ଗୋଟିଚାଳନା ।
ସୂଚନାଯୋଗ୍ୟ ଯେ, ସୁଶାସନ ଓ ବିକାଶ ପ୍ରସଙ୍ଗକୁ ନେଇ କିଭଳି ଆଗକୁ ବଢ଼ିହେବ ସେନେଇ ମୁଖ୍ୟମନ୍ତ୍ରୀ କନକ୍ଲେଭରେ ବିଶେଷ ଚର୍ଚ୍ଚା ଆଲୋଚନା ପରେ ଆଗାମୀ ରଣନୀତି ପ୍ରସ୍ତୁତ କରିଛି ଏନଡିଏ ।