କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଜୋରଦାର ବିରୋଧ କରି ଆସୁଥିଲା NDA । ଏହାକୁ ନେଇ ଆଜି NDA ବିହାରରେ ରାଜରାସ୍ତାକୁ ଓହ୍ଲାଇଛି। କଂଗ୍ରେସର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମାଆଙ୍କୁ ନେଇ କିଛି ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧୀ । ଏହାକୁ ବିରୋଧ କରି NDA ଆଜି 'ବିହାର ବନ୍ଦ' ଡାକରା ଦେଇଛି । ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି ।  ବିଭିନ୍ନ ସହରରେ NDA କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ତେବେ ବନ୍ଦ ଡାକରା ବେଳେ ଜରୁରୀକାଳୀନ ସେବାଗୁଡ଼ିକୁ ବାଧା ଦିଆଯାଉନାହିଁ ।

Advertisment

ବିଜେପି ବିଧାୟକ ସଞ୍ଜୟ ମୟୁଖ କହିଛନ୍ତି, "ବିହାରର ମାଆ ଓ ଭଉଣୀମାନେ NDA ଦ୍ୱାରା ଡକାଯାଇଥିବା ବନ୍ଦରେ ଭାଗ ନେଉଛନ୍ତି । ମହାଗଠବନ୍ଧନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦିବଙ୍ଗତ  ମାଆଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ରାହୁଲ ଗାନ୍ଧୀ ଖସି ପାରିବେ ନାହିଁ । ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବଙ୍କୁ ବିହାରର ଜନତା କଡ଼ା ଜବାବ ଦେବେ।"

NDAର ସମସ୍ତ ଅଂଶୀଦାର ଦଳ ଏହି ବନ୍ଦରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଜୟସ୍ୱାଲ ଅନ୍ୟ ସହଯୋଗୀ ଦଳର ରାଜ୍ୟ ସଭାପତିମାନଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ବନ୍ଦ ଡାକରା ଘୋଷଣା କରିଥିଲେ । ବିଶେଷ କରି, ପାର୍ଟି ଏହି ବନ୍ଦର କମାଣ ମହିଳା ମୋର୍ଚ୍ଚାକୁ ଦେଇଛି । NDA ନେତାମାନଙ୍କ କହିବା କଥା ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କୁ ଗାଳି ଦେଇ ଅପମାନିତ କରାଯାଇଛି ଏବଂ ଏଭଳି ବ୍ୟବହାରକୁ କଡ଼ା ବିରୋଧ କରାଯିବ । 

ସେପଟେ NDAର 'ବିହାର ବନ୍ଦ'କୁ ନେଇ ବିରୋଧୀ ଦଳଗୁଡ଼ିକ ମଧ୍ୟ ରାଜନୈତିକ ବୟାନବାଜି  ଆରମ୍ଭ କରିଛନ୍ତି । ଆର୍‌ଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବିଦେଶରେ ହସୁଥିଲେ ଏବଂ ଭାରତ ଫେରିବା ମାତ୍ରେ କାନ୍ଦିବା ଆରମ୍ଭ କଲେ । ସେ କଟାକ୍ଷ କରି  କହିଛନ୍ତି ଯେ ସରକାରର ଲୋକମାନେ ହିଁ ବିହାର ବନ୍ଦ କରାଉଛନ୍ତି। ତେଜସ୍ୱୀ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ ସେ ବିହାର ଯାତ୍ରାରେ ଏକଜୁଟ ହୋଇଥିବା ଜନସମୁଦ୍ରକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି, ସେଥିପାଇଁ ଏଭଳି ପଦକ୍ଷେପ ନେଉଛନ୍ତି ।