କନକ ବ୍ୟୁରୋ: ଅପରେସନ ସିନ୍ଦୂର ବିଷୟରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ତୃତୀୟ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମଡ୍ୟୁଲ ପ୍ରସ୍ତୁତ କରିଛି NCERT । ଯାହା ଦ୍ୱାରା ପିଲାଏ ଭାରତୀୟ ସେନାର ପରାକ୍ରମ ବିଷୟରେ ପଢ଼ିବା ସହ ପହଲଗାମ ଆତଙ୍କବାଦୀ କାଣ୍ଡ ବିଷୟରେ ଜାଣି ପାରିବେ । କିଭଳି ଆତଙ୍କବାଦୀମାନେ ଏହି ନାରକୀୟ କାଣ୍ଡ ଘଟାଇଥିଲେ ଓ ଭାରତୀୟ ସେନା ଏହାର କିଭଳି ଜବାବ ଦେଇଥିଲା ତାହା ଏକ ସ୍ୱତନ୍ତ୍ର ମଡ୍ୟୁଲରେ ଦର୍ଶା ଯାଇଛି । 

Advertisment

ରାଷ୍ଟ୍ରୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (NCERT) 'ଅପରେସନ୍ ସିନ୍ଦୂର' ଉପରେ ଏକ ସ୍ୱତନ୍ତ୍ର ମଡ୍ୟୁଲ୍ ଆରମ୍ଭ କରିଛି । ଏପ୍ରିଲ ୨୦୨୫ରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଏ ହାର ଜବାବରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ଏହି ମଡ୍ୟୁଲରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ଏହାକୁ ତୃତୀୟରୁ ଯୁକ୍ତଦୁଇ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।
ଏହି ମଡ୍ୟୁଲର ଦୁଇଟି ସଂସ୍କରଣ ଜାରି କରାଯାଇଛି: ପ୍ରାଥମିକ ଓ ମାଧ୍ୟମିକ ସ୍ତରର ଛାତ୍ରଛାତ୍ରୀଙ୍କ (ତୃତୀୟରୁ ଅଷ୍ଟମ ଶ୍ରେଣୀ) ପାଇଁ 'ଅପରେସନ୍ ସିନ୍ଦୂର: ବୀରତ୍ୱର ଗାଥା' ଏବଂ ଉଚ୍ଚ ମାଧ୍ୟମିକ ସ୍ତର (ନବମରୁ ଦ୍ୱାଦଶ ଶ୍ରେଣୀ) ପାଇଁ 'ଅପରେସନ୍ ସିନ୍ଦୂର: ସମ୍ମାନ ଓ ସାହସର ମିସନ'। ଏଗୁଡ଼ିକୁ ଶ୍ରେଣୀଗୃହରେ ଆଲୋଚନାମୂଳକ ଶିକ୍ଷା ପାଇଁ ଡିଜାଇନ୍ କରାଯାଇଛି ।

ପହଲଗାମ ଆକ୍ରମଣରେ ପାକିସ୍ତାନର ଭୂମିକା

ଏହି ପୁସ୍ତିକାରେ ପହଲଗାମ ଆକ୍ରମଣ ପାଇଁ ପାକିସ୍ତାନକୁ ସିଧାସଳଖ ଦାୟୀ କରାଯାଇଛି । ଏଥିରେ କୁହାଯାଇଛି ଯେ, "ପାକିସ୍ତାନର ରାଜନୈତିକ ଏବଂ ସାମରିକ ନେତୃତ୍ୱ ଏଥିରେ ସମ୍ପୃକ୍ତ ଥିଲେ । ପାକିସ୍ତାନ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଥିଲା ଏବଂ ଆତଙ୍କବାଦୀଙ୍କୁ ରୋକିବା ପାଇଁ କୌଣସି ପଦକ୍ଷେପ ନେଇନଥିଲା । ଭାରତ ବାରମ୍ବାର ଆତଙ୍କବାଦୀ ଶିବିର ବନ୍ଦ କରିବାକୁ ଅନୁରୋଧ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।"
ଉଚ୍ଚ ମାଧ୍ୟମିକ ସ୍ତରର ପୁସ୍ତିକାରେ ଏକ ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି ଯେ, "ଭାରତୀୟ ସଶସ୍ତ୍ର ବାହିନୀର ସାହସିକ କାର୍ଯ୍ୟାନୁଷ୍ଠାନ ପାକିସ୍ତାନୀ ସଶସ୍ତ୍ର ବାହିନୀର ଲଢ଼େଇ କରିବା ମନୋବଳକୁ ଭାଙ୍ଗି ଦେଇଥିଲା । ଯାହାଫଳରେ ପାକିସ୍ତାନ ତୁରନ୍ତ ଅସ୍ତ୍ରବିରତି ପାଇଁ ଆବେଦନ କରିବାକୁ ବାଧ୍ୟ ହୋଇଥିଲା ।"

'ଅପରେସନ ସିନ୍ଦୂର' ନାମ କାହିଁକି?

ଏହି ଅପରେସନର ଗୁପ୍ତ ନାମ 'ସିନ୍ଦୂର'ର ଏକ ଗଭୀର ପ୍ରତୀକାତ୍ମକ ଅର୍ଥ ରହିଛି । ବିବାହିତ ମହିଳାମାନେ ପିନ୍ଧୁଥିବା ସିନ୍ଦୂରକୁ ପୀଡ଼ିତ ଏବଂ ସୈନିକମାନଙ୍କ ବିଧବା ପତ୍ନୀମାନଙ୍କୁ ସମ୍ମାନ ଦେବା ପାଇଁ ବଛାଯାଇଥିଲା । NCERTର ମଡ୍ୟୁଲରେ କୁହାଯାଇଛି, "ସିନ୍ଦୂର ହେଉଛି ବିବାହ, ପ୍ରେମ ଏବଂ ସମ୍ମାନର ପ୍ରତୀକ । ପହଲଗାମ ପୀଡ଼ିତଙ୍କ ଯନ୍ତ୍ରଣା ଏବଂ ଶକ୍ତିକୁ ସମ୍ମାନ ଜଣାଇବା ପାଇଁ ଏହି ଅପରେସନର ନାମକରଣ କରାଯାଇଥିଲା।"

ଶାନ୍ତିଭଙ୍ଗ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ

ପାକିସ୍ତାନ କିପରି ଭାରତରେ ବାରମ୍ବାର ଶାନ୍ତିଭଙ୍ଗ କରିବାକୁ ଚେଷ୍ଟା କରୁଛି ସେ ବିଷୟରେ ସମ୍ୟକ ସୂଚନା ଦିଆଯାଇଛି। ୨୦୧୬ ଉରି ଆକ୍ରମଣ, ୨୦୧୯ ପୁଲୱାମା ଆକ୍ରମଣକୁ ଉଦାହରଣ ଭାବେ ଦିଆଯାଇଛି। ପହଲଗାମରେ ୨୬ ଜଣଙ୍କୁ ହତ୍ୟା ବଦଳରେ ମେ’ ୭ରେ ଭାରତ ଅପରେସନ ସିନ୍ଦୂର କାର୍ଯ୍ୟକାରୀ କରିଥିଲା। ପାକ୍‌ ଆତଙ୍କବାଦୀମାନେ ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବା ସହିତ ଧାର୍ମିକ ଭାବନାକୁ ଆଘାତ ଦେବାକୁ ଚାହୁଥିଲେ। 


ପୁସ୍ତିକାରେ ସ୍ଥାନୀୟ ଲୋକଙ୍କ ସହଯୋଗ ବିଷୟରେ ମଧ୍ୟ ସ୍ବତନ୍ତ୍ର ଉଲ୍ଲେଖ ରହିଛି। ସେମାନେ ଆତଙ୍କବାଦ ବିରୋଧରେ ଛିଡ଼ା ହେବା ସହିତ ଏହାର କଡ଼ା ନିନ୍ଦା କରିଥିଲେ। ଯାହାକି ପାରମ୍ପରିକ ଧାରାର ବିଚ୍ୟୁତି ଥିଲା। ୭ ମେ’ ମଧ୍ୟରାତିରେ ଭାରତ ଏହି ଅପରେସନ ଆରମ୍ଭ କରିଥିଲା। ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର‌ରେ ଥିବା ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରାଯାଇଥିଲା। ଭାରତର ସାର୍ବଭୌମତ୍ବ ରକ୍ଷା କରିବାକୁ ଏହା ଏକ ଯୋଜନାବଦ୍ଧ ପଦକ୍ଷେପ ଥିଲା। ତିନି ସେନା ମିଳିତ ‌ଭାବେ ଯୋଜନା କରିଥିବା ବେଳେ୯ଟି ଆତଙ୍କବାଦୀ ଶିବିର ନଷ୍ଟ କରାଯାଇଥିଲା।