କନକବ୍ୟୁରୋ : ରେଲୱେ ଟ୍ରାକ ଉଡାଇଲେ, ପୋଷ୍ଟର ମାରିଲେ ନକ୍ସଲ । ମାଓ ସପ୍ତାହ ପାଳନ ଅବସରରେ ହିଂସାକାଣ୍ଡ । ସୁନ୍ଦରଗଡ଼ ଜିଲ୍ଲା ଝାଡ଼ଖଣ୍ଡ ସୀମାବର୍ତ୍ତି ବାନ୍ଧମୁଣ୍ଡା ରେଲୱେ କଂଟ୍ରୋଲର ରେଞ୍ଜଡ଼ା-କରମପଦା ମଝିରେ ରେଳଟ୍ରାକକୁ ଉଡାଇ ଦେଇଛନ୍ତି ମାଓବାଦୀ , ବିସ୍ପୋରଣରେ ଦୁଇଟି ସ୍ଲିପର ବାହାରି ଯାଇଥିବା ବେଳେ ଟ୍ରାକ କ୍ଷତିଗ୍ରସ୍ତ ହୋଇଛି । ବିସ୍ପୋରଣ ସ୍ଥଳଠୁ ଏକ କିଲୋମିଟର ବ୍ୟବଧାନରେ ମାଓପୋଷ୍ଟର ଲଗାଇଛନ୍ତି l ସୁରକ୍ଷା ଦୃଷ୍ଟିକୋଣରୁ ମୁମ୍ବାଇ-ହାୱାଡା ମୁଖ୍ୟ ରେଳମାର୍ଗରେ ରେଳ ଚଳାଚଳ ବନ୍ଦ ରହିଛି ।
ସୁରକ୍ଷା ଦୃଷ୍ଟିକୋଣରୁ ସ୍ଥାନୀୟ ଅଞ୍ଚଳରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି l ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ରା, ଭାଲୁଲତା ଓ ଜରାଇକେଲା ରେଳଷ୍ଟେସନରେ ଆର୍ପିଏଫ୍ ଓ ଆର୍ପିଏସ୍ଏଫ୍ ମୁତୟନ କରାଯାଇଛି। ଏହି ଷ୍ଟେସନଗୁଡ଼ିକ ନକ୍ସଲ ପ୍ରଭାବିତ ହେବା ସହିତ ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳମାର୍ଗରେ ଅବସ୍ଥିତ ହୋଇଥିବାରୁ ରେଳ ପ୍ରଶାସନ ଏହି ୩ଟି ଷ୍ଟେସନ ଉପରେ ସ୍ୱତନ୍ତ୍ର ନଜର ରଖିଛନ୍ତି । ରେଳ ସୁରକ୍ଷାବଳ ଓ ସରକାରୀ ରେଳବାଇ ପୁଲିସକୁ ହାଇଆଲର୍ଟରେ ରଖାଯାଇଛି ।
ସମ୍ବେଦନଶୀଳ ମାର୍ଗରେ ଏକ୍ସପ୍ରେସ୍ ଓ ଅନ୍ୟ ଯାତ୍ରୀବାହୀ ଟ୍ରେନ୍ଗୁଡ଼ିକର ଯାତ୍ରା ପୂର୍ବରୁ ମାଲବାହୀ ଟ୍ରେନ୍ ଚଳାଇବା ପାଇଁ ନିର୍ଦେଶ ଜାରିହେଇଛି। ଏହାବ୍ୟତୀତ ରେଳଟ୍ରାକ୍, ପୋଲ ଓ ଷ୍ଟେସନ ପରିସର ନିରନ୍ତର ଯାଞ୍ଚ କରାଯାଉଛି। କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ରେଳବାଇ ହେଲ୍ପଲାଇନ୍ କିଂବା ନିକଟତମ ରେଳଷ୍ଟେସନକୁ ଜଣାଇବାକୁ ରେଳ ପ୍ରଶାସନ ଯାତ୍ରୀଙ୍କୁ ନିବେଦନ କରାଯାଇଛି l