କନକ ବ୍ୟୁରୋ: ବାଣ ବଦଳରେ ଜଳିବ ଦୀପ । ସାରା ଦେଶରେ ଦୀପାବଳି ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଦୀପାବଳି ପାଇଁ ଚଳଚଞ୍ଚଳ ଦୀପ କାରବାର । ଦେଶରେ ବଢୁଛି ମାଟି ଦୀପର ଚାହିଦା । ବାଣ ବଦଳରେ ଦୀପ ଜାଳି ଦୀପାବଳି ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ନବରଙ୍ଗପୁର ବାସିନ୍ଦା । ଏଥିପାଇଁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ତଣ୍ଡାଗୁଡା ଗ୍ରାମର କୁମ୍ଭାର କାରିଗର ଦ୍ୱାରା ବିଭିନ୍ନ ପ୍ରକାର ମାଟି ଦୀପରେ ପ୍ରସ୍ତୁତ ଦୀପର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ତଣ୍ଡାଗୁଡା ଗ୍ରାମରୁ ଭୁବନେଶ୍ୱର , କଟକ, ରାୟଗଡା, କୋରାପୁଟ, କଳାହାଣ୍ଡି ଭଳି ଜିଲ୍ଲା ତଥା ପୋଡ଼ଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ରାଜ୍ୟ ରେ ମଧ୍ୟ ତଣ୍ଡାଗୁଡା କାରିଗର ଙ୍କ ଏହି ମାଟି ଦୀପ ର ଚାହିଦା ଥିବାରୁ ଚଳିତ ବର୍ଷ ଦୀପାବଳି ରେ ଭଲ ରଜୋଗାର ଆଶାରେ ରହିଛନ୍ତି ଦୀପ କାରିଗର ।
ଚଳିତ ବର୍ଷ ଦୀପାବଳି ହେବ ଦୀପମୟ । ପରିବେଶରେ ପ୍ରଦୂଷଣର ମାତ୍ରା ବଢ଼ୁଥିବାରୁ ବାଣ ବଦଳରେ ଇକୋ ଫ୍ରେଣ୍ଡଲି ଦୀପାବଳୀ ପାଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ନବରଙ୍ଗପୁର ବାସିନ୍ଦା । ଏଥିପାଇଁ ମାଟି ଦୀପର ଚାହିଦା ବି ବଢ଼ୁଛି । ଚଳଚଞ୍ଚଳ ହୋଇପଡ଼ିଛନ୍ତି ଦୀପ କାରାବାର । ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ତଣ୍ଡାଗୁଡା ଗାଁରେ ପ୍ରାୟ ୧୨୦ଟି କମ୍ଭାର ପରିବାର ବସବାସ କରୁଛନ୍ତି । ମାଟିରେ ବିଭିନ୍ନ ସାମଗ୍ରୀ ଗଢ଼ିବା ସେମାନଙ୍କ କୌଳିକ ବୃତି ହୋଇଥିବାରୁ ସେମାନେ ବର୍ଷସାରା ଅନ୍ୟ କୌଣସି ବୃତ୍ତି ନକରି ଏହି ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରନ୍ତି । ତେବେ ଦୀପାବଳୀରେ ଦୀପର ଚାହିଦା ବୃଦ୍ଧି ପାଉଥିବାରୁ ଦୀପ ତିଆରିରେ ବ୍ୟସ୍ତ ଅଛନ୍ତି କାରିଗର । କାରିଗରଙ୍କ ଦୀପର ଚାହିଦା ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ରାୟଗଡା, କଟକ, ଭୁବନେଶ୍ୱର, ସହିତ ପୋଡ଼ଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ବି ରହିଛି ।
ଆଧୁନିକତାର ଛାପରେ ଦୀପର ସ୍ଥାନ ଚାଇନା ଲାଇଟ ନେଇଛି । ତଥାପି ଧୀରେ ଧୀରେ ଲୋକମାନେ ସଚେତନ ହୋଇ ପୁନର୍ବାର ପାରମ୍ପରିକ ଦୀପ ଜଳାଇ ଦୀପାବଳି ପାଳନ କରୁଛନ୍ତି । ବାୟୁରେ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ଲୋକମାନେ ମାଟି ଦୀପ ଜାଳି ଦୀପାବଳି ପାଳନ ପାଇଁ ପ୍ରସ୍ତୁତ ହେଉଛନ୍ତି । ତେଣୁ ଚଳିତ ବର୍ଷ କାରିଗରଙ୍କ ଭଲ ବ୍ୟବସାୟ ହେବ ବୋଲି ସେମାନେ ଆଶା ରଖିଛନ୍ତି । କାରିଗରମାନେ ଛୋଟ, ବଡ଼ ଦୀପ ସହିତ ପଞ୍ଚମୁଖୀ, ସାତମୁଖୀ, ନଅମୁଖୀ ସହ ବିଭିନ୍ନ ଡିଯାଇନର ଦୀପ ପ୍ରସ୍ତୁତ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ବାହାର ଜିଲ୍ଲା ଓ ରାଜ୍ୟକୁ ଦୀପ ବିକ୍ରି ପାଇଁ ନିଆଯାଇଥିବା ବେଳେ ଆଗକୁ ଆହୁରି ଦୀପ ବିକ୍ରି କରିବା ପାଇଁ ପ୍ରସ୍ତୁତି କରୁଛନ୍ତି ।
ବାଣ ଫୁଟାଇବା ଦ୍ୱାରା ବାୟୁ ପ୍ରଦୂଷଣ ହେବା ସହ ଶବ୍ଦ ପ୍ରଦୁଷଣ ହେଉଛି । ତେଣୁ ଲୋକାମାନେ ପାରମ୍ପରିକ ଦୀପ ଜାଳି ଦୀପାବଳି ପାଳନ କରିବା ପାଇଁ ପସନ୍ଦ କରୁଛନ୍ତି । ମାଟିକୁ ନିଜର ଜୀବନ ଆଉ ଜୀବିକା କରିଥିବା ଏହ କାରିଗରଙ୍କୁ ପ୍ରୋତ୍ସାହନ ଯୋଗାଇଦେବାକୁ ଦାବି ହୋଇଛି । ମାଟି ଦୀପ ସାମଗ୍ରୀ ବିକ୍ରି ପାଇଁ ବଜାରର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓରମାସ ତରଫରୁ ନବରଙ୍ଗପୁରରେ ଷ୍ଟଲର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଓରମାସ ଅଧିକାରୀ । ଅଖ ଚାଲିଲେ ପରିବାର ଚଳେ । ତେଣୁ ସରକାରୀ ସାହାଯ୍ୟ ମିଳିଲେ କୌଳିକ ବୃତ୍ତିକୁ ବଞ୍ଚାଇବା ସହ ସମୟ ସହିତ ତାଳ ଦେଇ ନୂଆ ନୂଆ ଡିଜାଇନର ଦୀପ ପ୍ରସ୍ତୁତି କରି ନିଜର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରନ୍ତେ କାରିଗର ।