କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ନୌସେନା ମୁଖ୍ୟ ଆଡମିରାଲ୍ ଦୀନେଶ ତ୍ରିପାଠୀ । ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଏହି ବୈଠକ ହୋଇଛି । ତିନି ସେନାମୁଖ୍ୟଙ୍କ ସହ ବୈଠକର ଗୋଟିଏ ଦିନ ପରେ ପୁଣିଥରେ ନୌସେନା ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପ୍ରତିଶୋଧ ଅପେକ୍ଷାରେ ଭାରତ । ଏଥିପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଘନ ଘନ ବୈଠକ ବସୁଛି । ଏପ୍ରିଲ ୨୨ ତାରିଖ ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ୨୩ ତାରିଖରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ ବସିଥିଲା । ଏହାସହ ସର୍ବଦଳୀୟ ବୈଠକରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ପାକିସ୍ତାନ ବିରୋଧରେ କେନ୍ଦ୍ର ସରକାର ଯେଉଁ ପଦକ୍ଷେପ ନେବ, ତାକୁ ପୂର୍ଣ୍ଣ ସମର୍ଥନ କରାଯିବ ବୋଲି ଏହି ବୈଠକରେ ସବୁ ଦଳର ନେତା କହିଥିଲେ । ଯଦିଓ ଭାରତ ଏଯାଏଁ ପାକିସ୍ତାନ ବିରୋଧରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ନାହିଁ, ହେଲେ ଅନ୍ୟ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଛି । ସିନ୍ଧୁ ଚୁକ୍ତିକୁ ବାତିଲ କରିସାରିଛି ଭାରତ । ସେପଟେ ଆତଙ୍କବାଦୀଙ୍କ ବିରୋଧରେ କଠୋର ଓ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଣିଥରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ଅଙ୍ଗୋଲାର ରାଷ୍ଟ୍ରପତିଙ୍କ ସହ ବୈଠକ ବେଳେ ପ୍ରଧାନମନ୍ତ୍ରୀ ଏହି କଥା ଦୋହରାଇଛନ୍ତି ।