କନକ ବ୍ୟୁରୋ : ନବରାତ୍ରି ଅବସରରେ ଚଳଚଞ୍ଚଳ ଶକ୍ତି ପୀଠ। ଆଜି ପୀଠରେ ସପ୍ତମୀ ଥିବା ବେଳେ ମଣ୍ଡପେ ଷଷ୍ଠୀ ପୂଜା ପାଳିତ ହେଉଛି । ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ବାସିନୀ ମା’ ଶାରଳାଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା । ଆଜି ନବରାତ୍ର ପୂଜାର ସପ୍ତମ ଦିବସ ଏବଂ ଷୋଡ଼ଶ ଉପଚାର ପୂଜା ପନ୍ଦର ଦିନରେ ପହଞ୍ଚିଛି । ଆଜି ମା’ କାଳରାତ୍ରି ରୂପରେ ପୂଜା ପାଉଛନ୍ତି । ପ୍ରଥମେ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ ପରେ ଆଜି ମା’ କାଳରାତ୍ରି ସ୍ୱରୂପରେ ଧରାପୃଷ୍ଠରେ ଦର୍ଶନ ଦେଉଛନ୍ତି । ମା’ ଆଜି ତ୍ରିନେତ୍ର ସହିତ ହାତରେ ଲୌହ ଖଡ଼ଗ ଓ ଖର୍ପର ଏବଂ ରାତ୍ରି ଅନ୍ଧକାର ସଦୃଶ୍ୟ କଳା ଶରୀର ଧାରଣ କରିବେ ।
ପୁରାତନ ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ପାଟଣେଶ୍ଵରୀ । ପୀଠରେ ମହିମା ବେଶ ନିଆରା ଦଶହରା ସମୟରେ କରାଯାଉଥିବା ଷୋହଳ ପୂଜା ସବୁଠୁ ସ୍ବତନ୍ତ୍ର । ତତ୍କାଳୀନ ପାଟଣା ରାଜ୍ୟର ରାଜଧାନୀ ଓ ବର୍ତ୍ତମାନର ବଲାଙ୍ଗୀର ଜିଲାର ପ୍ରମୁଖ ସହର ହେଉଛି ପାଟଣାଗଡ଼। ବଲାଙ୍ଗୀର ସଦର ମହକୁମାଠାରୁ ପାଟଣାଗଡ଼ କିଛି ଦୂରରେ ଅବସ୍ଥିତ ହୋଇଥିବା ବେଳେ ଏଠାରେ ପାଟଣେଶ୍ବରୀ ପୂଜା ପାଉଛନ୍ତି । ସୂଚନା ଅନୁସାରେ, ଖ୍ରୀଷ୍ଟପୂର୍ବ ୫୪ ରେ ପାଟଣା ରାଜା ମାଧବଚନ୍ଦ୍ର ଦେବଙ୍କ ଦ୍ଵାରା ପାଟଣେଶ୍ଵରୀ ଦେବୀଙ୍କ ପୂଜା କରାଯାଉଥିଲା । ପ୍ରତିବର୍ଷ ଦଶହରା ସମୟରେ ମା' ଙ୍କର ଷୋହଳ ପୂଜା କରାଯାଏ । ଚଳିତବର୍ଷ ମୂଳାଷ୍ଟମୀ ଠାରୁ ଖଣ୍ଡାଧୁଆ ନୀତି ଆରମ୍ଭ ହୋଇଥିଲା । ପ୍ରତିଦିନ ଯନ୍ତ୍ର-ତନ୍ତ୍ର-ମନ୍ତ୍ରରେ ପୂଜା ସହ ମା'ଙ୍କର ଷୋଡ଼ଶ ଉପଚାର କରାଯାଉଛି ଆଜି ହେଉଛି ମା’ଙ୍କ ସପ୍ତମୀ ପୂଜା । ଆଜି ସପ୍ତମୀ ଥିବା ବେଳେ ନବ ଦିନାତ୍ମକ ପୂଜା ପୀଠ ମାନଙ୍କରେ ମା’ଙ୍କୁ କାଳରାତ୍ରି ବେଶରେ ପୂଜା ପାଆନ୍ତି ।