କନକ ବ୍ୟୁରୋ : ଧରାପୃଷ୍ଠରେ ଅବତରଣ କରିବେ ମା’ ଜଗଜ୍ଜନନୀ । ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା । ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା କରାଯାଉଛି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶକ୍ତିପୀଠ । ମନସ୍କାମନା ପୂରଣ ପାଇଁ ଶ୍ରଦ୍ଧାଳୁମାନେ ୯ ଦିନ ଧରି ମା’ଙ୍କ ବ୍ରତ ରଖିଛନ୍ତି । ବାଣପୁରର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ଓ ମା’ ବିରିଜାଇଙ୍କ ମନ୍ଦିରରେ ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଛି ଭେଟଯାତ୍ରା । ଦୁଇଭଉଣୀଙ୍କ ଚଳନ୍ତି ପ୍ରତିମାକୁ ବିଜେ କରାଯାଇଛି ।
ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ମଧ୍ୟ ଆରମ୍ଭ ହୋଇଛି ନବରାତ୍ର ପୂଜା । ଭୋର ୪ଟାରୁ ଦ୍ୱାରଫିଟା ସହ ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମାଆ । ସେହିପରି ମା ନାରାୟଣଙ୍କ ପୀଠରେ ମଧ୍ୟ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଛି । ସକାଳୁ ସକାଳୁ ମଆଙ୍କ ଦର୍ଶନ ପାଇଁ ଭିଡ଼ ଜମାଉଛନ୍ତି ଶ୍ରଦ୍ଧାଳୁ ।
ନବରାତ୍ରୀ ଅବସରରେ ପୁରୀ ରାମଚଣ୍ଡୀଙ୍କ ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । କୁଶଭଦ୍ରା ନଦୀରେ ଧୀବରଙ୍କ ଜାଲରେ ଯେଉଁ ମାଛ ପ୍ରଥମେ ପଡ଼ିବ ସେହି ମାଛ ଭୋଗ ଲାଗିର ପରମ୍ପରା ରହିଛି । ସେପେଟ ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି କଟକର ଅଧିଷ୍ଠାତ୍ରୀ ମାଆ କଟକଚଣ୍ଡୀଙ୍କ ମନ୍ଦିର । ଆଜି ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ।
ପଶ୍ଚିମ ଓଡ଼ିଶାରେ ମଧ୍ୟ ମହାଆଡ଼ମ୍ବରରେ ଚାଲିଛି ଦେବୀ ପୂଜା । ବଲାଙ୍ଗୀର ମାଆ ସମଲେଇଙ୍କ ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ । ତେବେ ୯ ଦିନ ଧରି ମା'ଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯିବ ।