କନକ ବ୍ୟୁରୋ : ସୁସ୍ଥ ହେବେ ବିଜେଡି ସୁପ୍ରିମୋ ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରୁ ଡିସଚାର୍ଜ ହେବେ ନବୀନ ପଟ୍ଟନାୟକ । ଚିକିତ୍ସା ପରେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ନବୀନ । ମୁମ୍ବାଇ କୋକିଲାବେନ୍ ଧିରୁଭାଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା ।
ସର୍ଭିକାଲ୍ ଆର୍ଥ୍ରାଇଟିସ୍ ରୋଗର ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ ନବୀନ ପଟ୍ଟନାୟକ । ସେଠାରେ ସେ କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଅପରେସନ କରାଇଥିଲେ । ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ହେଉଥିଲା ଚିକିତ୍ସା । ତେବେ ଅପରେସନ୍ ସଫଳ ହେବା ପରେ ସେ ଦୁଇଦିନ ଅବଜରଭେସନ୍ରେ ରହିଥିଲେ ।
ସେ ମୁମ୍ବାଇ ଯିବା ପରଠାରୁ ଓଡ଼ିଶା ସମେତ ଦିଲ୍ଲୀରେ ମଧ୍ୟ ବିଭିନ୍ନ ମନ୍ଦିରରେ ତାଙ୍କ ପାଇଁ ଚାଲିଥିଲା ପୂଜାର୍ଚ୍ଚନା । ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡି କର୍ମୀମାନେ ଦୀପ ଦାନ କରିଥିଲେ । ଆଉ ଏବେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ନବୀନ
ଗତ ୨୦ ତାରିଖରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ ନବୀନ ପଟ୍ଟନାୟକ। ଏପଟେ ନବୀନଙ୍କୁ ଅପେକ୍ଷା କରିଛନ୍ତି ନେତା, କର୍ମୀ । କାରଣ ନବୀନଙ୍କ ବିନା ବିଜେଡି କ୍ୟାମ୍ପ ଶିଥିଳ ପଡିଯାଇଛି । ୫୧ ଜଣ ବିଧାୟକ ଥିଲେ ବି ସେମିତି ତୀବ୍ର ସ୍ବର ଉଠାଇପାରିନି ଦଳ । ଛୋଟମୋଟ କାର୍ଯ୍ୟକ୍ରମକୁ ଛାଡିଦେଲେ ସରକାରଙ୍କୁ ଘେରିବାକୁ ଦଳ ସକ୍ଷମ ହୋଇନାହିଁ । ନବୀନଙ୍କ ଅନୁପସ୍ଥିତିରେ ରାଜନୈତିକ ବ୍ୟାପାର କମିଟିକୁ ପୂରା କ୍ଷମତା ଦିଆଯାଇଥିଲା । ଦେବୀ ମିଶ୍ରଙ୍କୁ ସାମ୍ନାକୁ ଅଣାଯାଇଥିଲା । ହେଲେ ଏହା ଦଳ ପାଇଁ ସେଭଳି ଫଳପ୍ରଦ ହୋଇନାହିଁ । ଗୋଟିଏ ପଟେ ଅଧଗଢା ହୋଇ ପଡିଛି ସଙ୍ଗଠନ ।