କନକ ବ୍ୟୁରୋ: ସକାଳୁ ସକାଳୁ ନବୀନ ନିବାସରୁ ବିମାନବନ୍ଦର ଯାଏଁ ଭିଡ଼ । ଆଉ ଏ ଭିଡ଼ କୌଣସି ସମାବେଶ ପାଇଁ ନଥିଲା । ବରଂ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି, ଶୁଭକାମନା ଜଣାଇବାକୁ ଏକାଠି ହୋଇଥିଲେ ଦଳୀୟ ନେତା ଓ କର୍ମୀ । ସମସ୍ତଙ୍କଠାରୁ ଆଶୀର୍ବାଦ ଓ ଭଲପାଇବା ନେଇ ମୁମ୍ବାଇକୁ ଉଡ଼ାଣ ଭରିଛନ୍ତି ବିଜେଡି ସୁପ୍ରିମୋ ।
ମୋ ସ୍ବାସ୍ଥ୍ୟ ଖରାପ । ସୋସିଆଲ ମିଡିଆରେ ନବୀନଙ୍କର ଏହି ସୂଚନା ପରେ ବିମାନବନ୍ଦରର ଜମିଥିଲା ସମର୍ଥକଙ୍କ ଭିଡ଼ । ନେତୃତ୍ବ ଓ ନେତାଙ୍କ ମଧ୍ୟରେ ବ୍ୟବଧାନର ବାଡ଼ ଭାଙ୍ଗିଥିଲା । ସମସ୍ତଙ୍କ ଆଖିରେ ନବୀନଙ୍କ ପାଇଁ ଆବେଗ ଓ ଭାବପ୍ରବଣତା । ତୁଣ୍ଡରେ ଥିଲା ଲଙ୍ଗ୍ ଲିଭ ନବୀନ । ଅସୁସ୍ଥ ନବୀନଙ୍କୁ ବିମାନ ବନ୍ଦରକୁ ପାଛୋଟି ନେଇଥିଲେ ହଜାର ହଜାର କର୍ମୀ ଓ ନେତା । ଏବଂ ନବୀନଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରି ବିଦାୟ ଦେଇଥିଲେ । ଚିକିତ୍ସିତ ହେବାକୁ ଓଡ଼ିଶା ବାହାରକୁ ପୂର୍ବରୁ ଏମିତି କେବେ ଯାଇନଥିଲେ ନବୀନ । ଏଥର କିନ୍ତୁ କର୍ମୀଙ୍କ ଦୃଢ ବିଶ୍ବାସକୁ ସାଥୀରେ ନେଇ ଯାଉଛନ୍ତି ନବୀନ । କର୍ମୀଙ୍କର ବିଶ୍ବାସ, ଆପଣ ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ । ଆପଣଙ୍କ ନେତୃତ୍ବରେ ପୁଣିଥରେ ଦଳ ସଙ୍ଗଠିତ ଏବଂ ଶାସନ କ୍ଷମତାକୁ ଫେରିବ ।
ମୁମ୍ବାଇ ଯିବା ପୂର୍ବରୁ ନବୀନ ନିବାସରେ ଦଳ ମୁଖିଆଙ୍କ ଶୁଭ ମନାସିଥିଲେ ସଂଖ୍ୟାଧିକ ମହିଳା। ଶଙ୍ଖ ବଜାଇ ହୁଳହୁଳି ପକାଇ ନବୀନଙ୍କ ଦୀର୍ଘାୟୁ ଜୀବନ ପାଇଁ ପ୍ରାର୍ଥନା କରିଥିଲେ। ଭିଡ଼ ଓ ଭଲପାଇବା ଭିତରେ ମୁମ୍ବାଇକୁ ଉଡାଣ ଭରିଛନ୍ତି ନବୀନ । ଏହାସହ ରାଜନୈତିକ ବ୍ୟାପାର କମିଟି ଓ ଦେବୀ ମିଶ୍ରଙ୍କ ଦାୟିତ୍ବ ବଢିଛି। ନବୀନ କେତେଦିନ ଓଡ଼ିଶା ବାହାରେ ରହିବେ ତାହା ସ୍ପଷ୍ଟ ହୋଇନି। ତେଣୁ ଦଳର ବିଭିନ୍ନ କାର୍ୟ୍ୟକ୍ରମକୁ ଆଗକୁ ନେବା ଏବେ ସବୁଠୁ ବଡ ଚ୍ୟାଲେଞ୍ଜ ।
ଆସନ୍ତା ୨୨ରେ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେବେ ନବୀନ। ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ପୂରା ଚିକିତ୍ସାର ତଦାରଖ କରିବେ।