କନକ ବ୍ୟୁରୋ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ସଜବାଜ ହେଉଛନ୍ତି ବିରୋଧୀ । ଭାରତୀୟ ସଂସଦୀୟ ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । ତେବେ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଛି ବିଜେଡିର ଆଭିମୁଖ୍ୟ । ରାଜ୍ୟସଭା ମହାସଚିବଙ୍କୁ ନୋଟିସ ଦିଆଯିବା ସତ୍ତ୍ବେ ନବୀନ ସମର୍ଥନ କରିବେ ନା ବିରୋଧ କରିବେ ସେ ନେଇ ସ୍ପଷ୍ଟ ନିଷ୍ପତ୍ତି ନେଇପାରୁନାହାନ୍ତି ।
- ଦୋଛକିରେ ନବୀନ
- ଅନାସ୍ଥା ପ୍ରସଙ୍ଗରେ ବିଜେଡି ଆଭିମୁଖ୍ୟ ଅସ୍ପଷ୍ଟ
- ଏନଡିଏକୁ ଯିବେ ନା ‘ଇଣ୍ଡି’କୁ ସମର୍ଥନ କରିବେ?
ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ଏକାଠି ହୋଇଛନ୍ତି ବିରୋଧୀ । ପକ୍ଷପାତିତାର ଅଭିଯୋଗ ଆଣି ଅନାସ୍ଥା ପ୍ରସ୍ତାବ ପାଇଁ ସମର୍ଥନ ଯୋଗାଡ କରୁଛି ଇଣ୍ଡି ମେଣ୍ଟ । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ, ୭୦ରୁ ଅଧିକ ସାଂସଦଙ୍କ ଲିଖିତ ସମର୍ଥନ ନେଇସାରିଛି ଇଣ୍ଡି ମେଣ୍ଟ । ବର୍ତ୍ତମାନ ସୁଦ୍ଧା ବିଜୁ ଜନତା ଦଳର ଆଭିମୁଖ୍ୟ ସ୍ପଷ୍ଟ ହୋଇନି । ଇଣ୍ଡିକୁ ସମର୍ଥନ ଦେବ ନା ଏନଡିଏ ସହ ରହିବ ବିଜେଡି? ଏହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିବାବେଳେ ବିଜେଡି ସୁପ୍ରିମୋ କହିଛନ୍ତି, ତର୍ଜମା ଚାଲିଛି । ଆଗକୁ ଆଭିମୁଖ୍ୟ ସ୍ପଷ୍ଟ ହେବ ।
୨୦୨୪ ନିର୍ବାଚନରେ ନବୀନକୁ କ୍ଷମତାରୁ ହଟାଇବା ପାଇଁ ପୁରା ବଳ କଷିଥିଲେ ମୋଦି-ଶାହାଙ୍କ ଯୋଡି । ୨୪ ବର୍ଷର ଶାସନରେ ଥିବା ବିଜେଡି ବି ମାଟି କାମୁଡିଥିଲା । ଏବେ ବିରୋଧୀ ଥିବା ବିଜେଡି କାହିଁକି ଜାତୀୟ ରାଜନୀତିରେ ସ୍ପଷ୍ଟ ନିଷ୍ପତ୍ତି ନେଇପାରୁନି, ସେ ନେଇ ରାଜନୈତିକ ମହଲ ଦ୍ୱନ୍ଦ୍ୱରେ ପଡିଛି । ସବୁବେଳେ ସମଦୂରତାର କଥା କହୁଥିବା ନବୀନ ପକ୍ଷ ବଦଳାଇବେ କି? ଦିଲ୍ଲୀରେ କାହିଁକି ବିଜେପିକୁ ବିରୋଧ କରିପାରୁନି ବିଜେଡି ? ରାଜ୍ୟସଭା ଅଧ୍ୟକ୍ଷଙ୍କ ଅନାସ୍ଥା ପ୍ରସଙ୍ଗରେ କାହିଁକି ସ୍ପଷ୍ଟ ନିଷ୍ପତ୍ତି ନେଇପାରୁନାହାନ୍ତି ନବୀନ ? ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଇଡି, ସିବିଆଇର ଭୟ ରହୁଛି କି?
ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ନୋଟିସ ରାଜ୍ୟସଭା ମହାସଚିବଙ୍କୁ ଦେଇଛନ୍ତି ବିରୋଧୀ । ରାଜ୍ୟସଭାରେ ଗୃହୀତ ପ୍ରସ୍ତାବକୁ ଲୋକସଭା ସମର୍ଥନ କରିବା ଜରୁରୀ । ଅନାସ୍ଥା ପାଇଁ ୧୪ ଦିନ ଆଗରୁ ନୋଟିସ ଦିଆଯିବା ଆବଶ୍ୟକ। ତେବେ ପାର୍ଲାମେଣ୍ଟ ଅଧିବେଶନ ୨୦ ତାରିଖରେ ଶେଷ ହେଉଥିବାରୁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।