କନକ ବ୍ୟୁରୋ: ନିର୍ବାଚନ ପରଠାରୁ ହିଞ୍ଜିଳି ଆସୁନାହାନ୍ତି ନବୀନ ପଟ୍ଟନାୟକ । କାମ ଠପ୍, କର୍ମୀ ବି ହତାଶ । ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଆସୁନଥିବାରୁ କର୍ମୀ ମହଲରେ ଅସନ୍ତୋଷ ଦେଖାଦେଇଛି । ପ୍ରିୟ ନେତାଙ୍କୁ ପାଖରେ ପାଇ ସମସ୍ୟା ଜଣାଇବାକୁ ଚାହୁଥିବା ନିର୍ବାଚନମଣ୍ଡଳୀବାସୀ କଣ ଭୁବନେଶ୍ୱର ଯିବେ କି ବୋଲି ପ୍ରଶ୍ନ ଉଠିଛି ।
ଗତ ଡିସେମ୍ବର ମାସରେ ଚାଷୀଙ୍କ ଦୁଃଖ ଶୁଣିବାକୁ ଆସିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ହେଲେ ରାସ୍ତାରୁ ଲୋକଙ୍କ ସମସ୍ୟା ଶୁଣି ଫେରିଯାଇଥିଲେ। ଏହାପରଠାରୁ ହିଞ୍ଜିଳିରେ ନବୀନଙ୍କୁ ଆଉ ଦେଖିବାକୁ ମିଳିନାହିଁ । ମୋଟ ଉପରେ କହିବାକୁ ଗଲେ ବିଧିବଦ୍ଧ ଭାବେ ନବୀନ ପଟ୍ଟନାୟକ ନିର୍ବାଚନ ପରଠାରୁ ନିର୍ବାଚନମଣ୍ଡଳୀ ଆସିନାହାନ୍ତି। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯାହାଙ୍କୁ ଲୋକେ ୨୫ ବର୍ଷ ହେଲା ଭୋଟ ଦେଇ ଜିତେଇ ଚାଲିଛନ୍ତି, ତାଙ୍କ ଅନୁପସ୍ଥିତିରେ ବିକାଶ ଯେମିତି ବାଟ ଭୁଲିଯାଇଛି । ନିର୍ବାଚନକୁ ବର୍ଷେ ପୂରିଥିଲା ବେଳେ ନବୀନ କେବେ ହିଞ୍ଜିଳି ଆସିବେ, ତାକୁ ଚାହିଁ ବସିଛନ୍ତି ହିଞ୍ଜିଳି ଭୋଟର ।
- ବର୍ଷକରେ ହିଞ୍ଜିଳିରେ ବିକାଶ ଠପ୍
- ଭୁବନେଶ୍ବରରେ ଡେରା ପକାଇଛନ୍ତି ନବୀନଙ୍କ ସଚିବ
ବର୍ଷକ ଭିତରେ ହିଞ୍ଜିଳିରେ ଆଖି ଦୃଶିଆ କାମ ହୋଇନି । ନବୀନ ବିରୋଧୀ ଦଳ ନେତା ହେବା ପରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଠାରୁ ନେଇ ରାଜନୈତିକ ସଚିବଙ୍କ ଯାଏ ସମସ୍ତେ ଭୁବନେଶ୍ୱରରେ । ତେଣୁ ହିଞ୍ଜିଳି କଥା ବୁଝିବାକୁ କେହି ନାହାନ୍ତି । ଲୋକେ ନିଜ ସମସ୍ୟା ନେଇ ଭୁବନେଶ୍ୱର ଯିବେ କି ବୋଲି ପ୍ରଶ୍ନ ଉଠିଛି । ସେପଟେ ନବୀନଙ୍କ ହିଞ୍ଜିଳି ପ୍ରତିନିଧି କହିଛନ୍ତି, ନଭେମ୍ବରରେ ହିଞ୍ଜିଳି ଆସିବେ ନବୀନ । କର୍ମୀଙ୍କୁ ଭେଟିବେ, ସମସ୍ୟା ଶୁଣିବେ ।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଥିଲାବେଳେ ବି ନିର୍ବାଚନ ମଣ୍ଡଳୀ ଆସୁନଥିଲେ ନବୀନ ପଟ୍ଟନାୟକ । ଉଦଘାଟନ କି ସମାବେଶ ନଥିଲେ ହିଞ୍ଜିଳିରେ ତାଙ୍କ ପାଦ ପଡୁନଥିଲା ।