କନକ ବ୍ୟୁରୋ: ସୁଭଦ୍ରା ଯୋଜନା ନେଇ ମୋହନ ସରକାରର ବଡ ଘୋଷଣା ପରେ, ଏହାକୁ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶୁକ୍ରବାର ଏକ୍ସରେ ପୋଷ୍ଟ ସେୟାର କରି ନବୀନ ଲେଖିଛନ୍ତି, ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି 'ଗ୍ୟାରେଣ୍ଟି' ଦେଇଥିଲା। ସେମାନେ ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା ଦେବେ ବୋଲି, ହେଲେ ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। ସବୁ ମହିଳା ଏହି ଯୋଜନାର ଲାଭ ପାଇବେ ବୋଲି କହିଥିଲେ, ହେଲେ ପାଇବେ ଜମା ୩ଜଣରୁ ଜଣେ। ମା'ମାନଙ୍କୁ ଏହା କ'ଣ ବିଜେପିର ଗ୍ୟାରେଣ୍ଟି? ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

ଖାଲି ସେତିକି ନୁହେଁ, ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ୪.୫ କୋଟି ଜନସଂଖ୍ୟାର ପ୍ରାୟ ୨.୨୫ କୋଟି ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ବିଜେପି ସରକାରଙ୍କ କହିବା ମୁତାବକ କେବଳ ମାତ୍ର ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ। ତାହେଲେ ବିଜେପି ସରକାରଙ୍କ 'ପ୍ରତ୍ୟେକ' ମହିଳାଙ୍କୁ ଏ ଯୋଜନାରେ ସାମିଲ କରିବା ଅର୍ଥ କ'ଣ ଏଇୟା? ମା'ମାନଙ୍କୁ ଏହା କ'ଣ ବିଜେପିର ଗ୍ୟାରେଣ୍ଟି? ନା ଏହା ଏକ ଧୂଆଁବାଣ? ବୋଲି ନବୀନ ପ୍ରଶ୍ନ କରିଛନ୍ତି ।

ମା'ମାନେ ଅନେକ ଆଶା ରଖିଥିଲେ। ଟଙ୍କା ମିଳିଲେ କିଛି ଭଲ କାମରେ ଲଗାଇବେ ବା ବ୍ୟବସାୟ କରିବେ। ହେଲେ ଏବେ କହୁଛନ୍ତି ମା'ମାନଙ୍କୁ ୬ମାସରେ ମାତ୍ର ୫,୦୦୦ ଟଙ୍କାର ସହାୟତା; ଯାହା ମାସକୁ ମାତ୍ର ୮୦୦ ଟଙ୍କା ପଡ଼ୁଛି। ଏହା କେଉଁ କାମରେ ଲାଗିବ? ଏକ ସାଙ୍ଗରେ ୫୦,୦୦୦ ଟଙ୍କାର ପ୍ରୋତ୍ସାହନ ମିଳିଥିଲେ ମା'ମାନେ ଏହାକୁ କୌଣସି କାମରେ ଲଗାଇ ପାରିଥାନ୍ତେ। କିଛି ବ୍ୟବସାୟ କରି ସଶକ୍ତ ହୋଇ ସମାଜରେ ଆଗକୁ ବଢ଼ିଥାନ୍ତେ। ସୁଭଦ୍ରା ବା କିଛି ଗ୍ୟାରେଣ୍ଟି ଯୋଜନାକୁ କାର୍ଯ୍ୟକ୍ଷମ କରିବାକୁ ବିଜେପି ସରକାର ଚଳିତ ବଜେଟରେ ୫୦,୦୦୦ କୋଟି ଟଙ୍କାର ଋଣ କରିଛନ୍ତି। ଏହା ଆମ ସମସ୍ତଙ୍କ ମୁଣ୍ଡରେ ଋଣ ବୋଝ। ଆମ ମା' ଓ ଭଉଣୀମାନଙ୍କୁ ଏହାକୁ ସୁଧ ସହ ସୁଝିବାକୁ ପଡ଼ିବ। କାରଣ ଏହା ସରକାରୀ ଅର୍ଥ ନୁହେଁ, ଋଣ ହୋଇ ଆସିଥିବା ଟଙ୍କା। ଏଥିରେ କ'ଣ ନାରୀ ସଶକ୍ତିକରଣ ସମ୍ଭବ ହେବ? ଆମେ ଖାଲି ଯାହା ଋଣ କରି ପରବ ପାଳିବା ସାର ହେବ ବୋଲି ନବୀନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମୋହନ ସରକାର ସୁଭଦ୍ରା ଯୋଜନାର ଏସଓପି ଘୋଷଣା କରିଛନ୍ତି । ଯେଉଁଥିରେ ମହିଳାଙ୍କୁ ବର୍ଷକୁ ଦୁଇଥର ଲେଖାଏଁ ୫ ହଜାର ଟଙ୍କା ଦିଆଯିବ । ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ଏହି ଟଙ୍କା ଦିଆଯିବ । ରାଜ୍ୟର ୨୧ ବର୍ଷରୁ ଉର୍ଦ୍ଧ ଓ ୬୦ ବର୍ଷରୁ କମ୍ ବର୍ଷର ମହିଳାମାନେ ଏହି ଯୋଜନାର ଲାଭ ଉଠାଇପାରିବେ ବୋଲି ଘୋଷଣା କରାଯାଇଛି ।