କନକ ବ୍ୟୁରୋ: ରାଜ୍ୟର ହିତ ପାଇଁ ଚାଲେ ବିଧାନସଭା, ପ୍ରସ୍ତୁତ ହୁଏ ନୀତି । ସରକାରୀ ଯୋଜନା ଓ ଲୋକଙ୍କ ସମସ୍ୟାକୁ ନେଇ ଆଲୋଚନା ହୁଏ । ସରକାରଙ୍କ ଦୋଷ ଦୁର୍ବଳାକୁ ସାମନାକୁ ଆଣିବା ସହ ଲୋକଙ୍କ ସ୍ବାର୍ଥ ପାଇଁ ସ୍ୱର ଉଠାନ୍ତି ବିରୋଧୀ । କିନ୍ତୁ ଅଧିକାଂଶ ସମୟରେ ବିଧାନସଭାରେ ନୀରବ ରହୁଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
କେବଳ ନୀରବ ରହୁଛନ୍ତି ତାହା ନୁହଁ ବିଧାନସଭାରେ ଅନୁପସ୍ଥିତ ରହୁଛନ୍ତି । ଫାଙ୍କା ରହୁଛି ତାଙ୍କ ଚୌକି । ୧୭ତମ ବିଧାନସଭାର ପ୍ରଥମ ଅଧିବେଶନରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଉପନେତା କେତେ ଦିନ ଉପସ୍ଥିତ ରହିଛନ୍ତି ତାହାର ତଥ୍ୟ ମାଗିଥିଲେ ସୂଚନା ଅଧିକାର କର୍ମୀ...
- ୧୭ତମ ବିଧାନସଭାର ପ୍ରଥମ ଅଧିବେଶନରେ ୨୫ଟି କାର୍ଯ୍ୟଦିବସ ଥିଲା
- ଏହି ୨୫ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୪ଟି କାର୍ଯ୍ୟ ଦିବସରେ ଉପସ୍ଥିତ ରହିଛନ୍ତି
- ଉପନେତା ପ୍ରସନ୍ନ ଆଚାର୍ଯ୍ୟ ମାତ୍ର ୬ଦିନ ଉପସ୍ଥିତ ରହିଛନ୍ତି
- ବିଡମ୍ୱନାର ବିଷୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ମାତ୍ର ଗୋଟିଏ ଦିନ ବିଧାନସଭା ଆସିଛନ୍ତି
ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନକୁ ଏଡାଇବା ପାଇଁ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନେ ବିଧାନସଭା ନଆସିପାରନ୍ତି । କିନ୍ତୁ ବିରୋଧୀ ଦଳର ନେତା ଓ ବିଧାୟକ ବିଧାନସଭାରେ ଶାସକ ଦଳକୁ ଘେରିଥାନ୍ତି । ହେଲେ, ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଚୌକି ଫାଙ୍କା ପଡିବା ଆଲୋଚନାର ବିଷୟ ହୋଇଛି। ବିଜେଡି ଏନେଇ ମୁହଁ ଖୋଲିନଥିବାବେଳେ ନିୟମିତ ବିଧାନସଭା ଆସିବାକୁ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ ।
ଶୁକ୍ରବାରଠାରୁ ଓଡିଶା ବିଧାନସଭାର ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନର ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ରହିଛି । ତେବେ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ ନା ପୂର୍ବ ଭଳି ଚୌକି ପାଙ୍କା ପଡିବ ତା ଉପରେ ରହିଛି ସମସ୍ତଙ୍କ ନଜର।