କନକ ବ୍ୟୁରୋ: ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଘଡ଼େଇଙ୍କ ବିସ୍ଫୋରକ ବୟାନ । ଓ୍ବାକଫ ବିଲକୁ ନେଇ ବିଜେଡିର ଆଭିମୁଖ୍ୟ ଉପରେ ରଖିଲେ ପ୍ରତିକ୍ରିୟା । କହିଲେ, ଗୋଟେ ନିଷ୍ପତ୍ତି ହୋଇଥିଲା ଓ୍ୱାକଫ ବିଲକୁ ରାଜ୍ୟସଭାରେ ବିରୋଧ କରିବାକୁ । ନିଷ୍ପତ୍ତି ପରିବର୍ତ୍ତନ ହେବାରୁ ଆଲୋଡନ ସୃଷ୍ଟି ହୋଇଛି । କାହିଁକି ନିଷ୍ପତ୍ତି ପରିବର୍ତ୍ତନ ହେଲା ଏ ବାବଦରେ ନେତାମାନେ ଦଳର ସୁପ୍ରିମୋଙ୍କୁ ଭେଟୁଛନ୍ତି । କେଉଁ ସାଂସଦ ବିରୋଧରେ ଦେଇଛନ୍ତି ଆଉ କେଉଁ ସାଂସଦ ସମର୍ଥନରେ, ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର କେବଳ ସନ୍ତୋଷଜନକ ଉତ୍ତର ଦେଇପାରିବେ ଦଳର ସୁପ୍ରିମୋ । ସେ ସଠିକ ସମୟରେ ଦଳର ନେତାଙ୍କୁ ଉତ୍ତର ଦେବେ ।
ସେ ଆହୁରି ମଧ୍ୟ କହିଛନ୍ତି, ତେବେ ସାଂସଦମାନଙ୍କ ନିଷ୍ପତ୍ତି କାହିଁକି ବଦଳିଲା ସେନେଇ ସୁପ୍ରିମୋ ହିଁ ଉତ୍ତର ଦେବେ । ଦଳରେ ଯାହା ହେବ ତାହା ସୁପ୍ରିମୋଙ୍କ କଥାରେ ହେବ । ଆମେ କାହିଁ କାହା ବିରୋଧରେ କହିବୁ? ନବୀନ ବାବୁଙ୍କ ଅଜଣାତରେ କିଛି ହେଉନଥିଲା । ସେ ଦଳର ଅଦ୍ୱିତୀୟ ନେତା । ଘରର ମୁଖିଆ ଥାଉ ଥାଉ ତାଙ୍କ ଅଜାଣତରେ ଆମେ କିଛି କରିପାରିବାନି ।
ଏହା ସସ୍ମିତ ପାତ୍ରଙ୍କ ନିଜସ୍ୱ ନିଷ୍ପତ୍ତି ବୋଲି ଆମେ କହିପାରିବାନି । ତାଙ୍କୁ ଯାହା ନିର୍ଦ୍ଦେଶ ଦିଆଯାଇଥିବ ସେ କରିଥିବେ । ପ୍ରଚ୍ଛଦପଟ୍ଟରେ କିଏ ଥାଅପାରନ୍ତି ହେଲେ ଆମ ସାମ୍ନାରେ ଯିଏ ଅଛନ୍ତି ଆମେ ତାଙ୍କ କଥା ଶୁଣିବା । ସସ୍ମିତ ପାତ୍ରଙ୍କ ସହ ଆଲୋଚନା କରିବା ପରେ ସ୍ପଷ୍ଟ ଜଣାପଡ଼ିବ । ଦଳ ଯାହା ନିଷ୍ପତ୍ତି ନେବ ନେତା ତାହାକୁ କାର୍ୟ୍ୟକାରୀ କରିବେ ବୋଲି ପ୍ରଫୁଲ୍ଲ ଘଡ଼େଇ କହିଥିଲେ ।
ପରାମର୍ଶଦାତାଙ୍କର ବି ବିଭିନ୍ନ କଥାରେ ଭୂମିକା ରହେ । ଯେଉଁମାନେ ନବୀନ ନିବାସ ଯାଉଥିବେ ସେମାନେ ଜାଣିଥିବେ କିଏ ପରାମର୍ଶ ଦେଉଛନ୍ତି । ଯେହେତୁ ଆମେ ଗୋଟେ ଧର୍ମନିରପେକ୍ଷ ଦଳ ତେଣୁ ବିଲକୁ ଆମେ ବିରୋଧ କରିବା ଉଚିତ । ହେଲେ ଏବେ ଯାହା ରାଜ୍ୟସଭାରେ ଓ୍ୱାକଫ ବିଲକୁ ନେଇ ଘଟିଛି ସେଥିପାଇଁ ଦଳର ସୁପ୍ରିମୋ ନବୀନ ବାବୁ ସାମ୍ନାକୁ ଆସନ୍ତୁ ଆଉ ସନ୍ତୋଷଜନକ ଉତ୍ତର ଦିଅନ୍ତୁ ବୋଲି ପ୍ରଫୁଲ୍ଲ ଘଡ଼େଇ କହିଥିଲେ।