କନକ ବ୍ୟୁରୋ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡିହାଇଡ୍ରେସନ ଜନିତ ସମସ୍ୟା ପାଇଁ ରବିବାର ସନ୍ଧ୍ୟା ପ୍ରାୟ ୫ଟା ୧୫ରେ ସେ ଡାକ୍ତରଖାନା ଯାଇଥିଲେ । ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ଚିକିତ୍ସା ପରେ ସେ ସୁସ୍ଥ ହେଉଛନ୍ତି । ଘରୋଇ ହସ୍ପିଟାଲ ଆଗରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ  ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହସ୍ପିଟାଲ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ସର୍ଭିକାଲ ଆଥ୍ରାଇଟିସ୍ ଅସ୍ତ୍ରୋପଚାର ନିମନ୍ତେ ଜୁନ୍ ମାସ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ ନବୀନ ପଟ୍ଟନାୟକ । ସେଠାରେ ୨୦ ଦିନ ରହିବା ପରେ ଗତ ଜୁଲାଇ ୧୨ ତାରିଖରେ ନବୀନ ଭୁବନେଶ୍ୱର ଫେରିଥିଲେ । ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ହୋଇଥିବା ଖବର ପାଇବା ପରେ ମେଡିକାଲକୁ ନେତାଙ୍କ ସୁଅ ଛୁଟୁଛି ।