କନକ ବ୍ୟୁରୋ: ଓଡିଶା ବିଧାନସଭା ନିର୍ବାଚନରେ କିଛି ମାସ ତଳେ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି। ବିଜେଡିକୁ ଗାଦିରୁ ହଟାଇବା ପାଇଁ ବିଜେପିର ରଣନୀତି ସଫଳ ହୋଇଥିଲା। ବିଜେଡି ହାତରୁ ଶାସନ କ୍ଷମତାକୁ ଛଡାଇ ଆଣିଥିଲା, ଆଉ ଏବେ ବିଜେପି ପଡେଶୀ ଝାଡଖଣ୍ଡରେ ଡବଲ ଇଞ୍ଜିନ ସରକାର ପାଇଁ ଉଦ୍ୟମ କରୁଥିବାବେଳେ ଜେଏମଏମ ପାଇଁ ବିଜେଡି ପ୍ରଚାର କରିବା ନେଇ ଜୋର ଧରିଛି ଚର୍ଚ୍ଚା।
- ଜେଏମଏମ ପାଇଁ ପ୍ରଚାର କରିବ ବିଜେଡି!
- ମୁହାଁମୁହିଁ ହେବେ ବିଜେଡି- ବିଜେପି ନେତା
ଝାଡଖଣ୍ଡ ଗାଦି ଦଖଲ ପାଇଁ ବିଜେପି ଜୋରଦାର କସରତ ଚଳାଇଛି। ଓଡିଆ ଭାଷାଭାଷୀ ଅଞ୍ଚଳରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସାଂସଦ ମମତା ମହନ୍ତ ପ୍ରଚାର କରୁଛନ୍ତି। ଏହାରି ଭିତରେ ଝାଡଖଣ୍ଡରେ ଜେଏମଏମ ପାଇଁ ବିଜେଡି ପ୍ରଚାର କରିପାରେ ବୋଲି ଚର୍ଚ୍ଚା ହେଉଛି। ଓଡିଶାରେ କ୍ଷମତାରେ ଥିବା ବିଜେପିକୁ ଚେକ୍ ଦେବା ପାଇଁ ବିଜେଡି ଏହି ରଣନୀତି କରୁଥିବା ଆଲୋଚନା ହେଉଛି। ତେବେ ଏନେଇ ବିଧିବଦ୍ଧ ଭାବେ ଦଳ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। କିନ୍ତୁ ସାଂସଦ ମୁନ୍ନା ଖାଁଙ୍କ ବୟାନ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ତେବେ କିଛି ପ୍ରଭାବ ପଡିବନି ବୋଲି କହିଛି ବିଜେପି।
ଝାଡଖଣ୍ଡରେ କିଏ ସରକାର ଗଢ଼ିବ? ସେଥିରେ ଓଡିଆ ଭାଷାଭାଷୀ ଭୋଟରଙ୍କ ପ୍ରମୁଖ ଭୂମିକା ରହିଛି। ତଥ୍ୟ ଅନୁସାରେ ଝାଡଖଣ୍ଡରେ ପ୍ରାୟ ୧୮ ପ୍ରତିଶତ ଓଡ଼ିଆ ଭାଷାଭାଷୀ ଭୋଟର ରହୁଛନ୍ତି। ଝାଡଖଣ୍ଡର ୧୦ଟି ଜିଲ୍ଲାରେ ଏମାନଙ୍କର ପ୍ରଭାବ ରହିଛି। ତେଣୁ ବିଜେପି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତାଙ୍କୁ ନେଇ ପ୍ରଚାର ଚଳାଇଛି। ଜେଏମଏମକୁ କ୍ଷମତାରୁ ହଟାଇ ଶାସନକୁ ଫେରିବାକୁ ଉଦ୍ୟମ କରୁଛି। କିନ୍ତୁ ଓଡିଶାରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନରେ ବସିଥିବା ବିଜେଡି, ବିଜେପିକୁ କାଉଣ୍ଟର କରିବା ପାଇଁ ଜେଏମଏମକୁ ସହଯୋଗ କରିବାକୁ ଯୋଜନା କରୁଥିବା କୁହାଯାଉଛି। ଚର୍ଚ୍ଚା ଯଦି ସତ ହୁଏ ତାହେଲେ, ଝାଡଖଣ୍ଡରେ ଦେଖିବାକୁ ମିଳିବ ଏକ ରୋଚକ ଲଢ଼େଇ।
୮୧ ସିଟ୍ ବିଶିଷ୍ଠ ଝାଡଖଣ୍ଡ ବିଧାନସଭା ଆସନରୁ ୧୮ଟି ବିଧାନସଭା କ୍ଷେତ୍ରର ଦାୟିତ୍ବ ଓଡ଼ିଶା ବିଜେପି ନେତାଙ୍କୁ ଦିଆଯାଇଛି। ଗୋଟିଏ ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ଜଣ ବରିଷ୍ଠ ନେତା ସିଧାସଳଖ ନିର୍ବାଚନ ପରିଚାଳନା କରିବେ।