କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଇଣ୍ଡିଆନ୍‌ ଷ୍ଟିଲ ଆସୋସିଏସନର ଅଧ୍ୟକ୍ଷ ନବୀନ ଜିନ୍ଦଲ । ଲୋକସେବା ଭବନରେ ନବୀନ ଜିନ୍ଦଲଙ୍କ ସହ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଓ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର ବୃଦ୍ଧି ଉପରେ ଆଲୋଚନା ହୋଇଛି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବା ଓଡିଶାର ଲକ୍ଷ୍ୟ । ଏଥିରେ ଖଣି ଓ ଷ୍ଟିଲ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ । ତେଣୁ ଓଡିଶାରେ କମ୍ପାନୀ ପ୍ରତିଷ୍ଠା କରୁଥିବା ସଂସ୍ଥା ଗୁଡିକୁ ସୁବିଧାରେ କଞ୍ଚାମାଲ ଯୋଗାଇଦେବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି ।

Advertisment

ବର୍ତ୍ତମାନ ଦେଶର ଷ୍ଟିଲ ଉତ୍ପାଦନ ପରିମାଣ ବାର୍ଷିକ ୧୬୫ ମିଲିଅନ୍‌ ଟନ୍‌ ରହିଛି । ୨୦୪୭ ସୁଦ୍ଧା ଏହି ପରିମାଣ ୫୦୦ ମିଲିଅନ୍‌ ଟନ୍‌ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଦେଶର ଷ୍ଟିଲ ଉତ୍ପାଦନ ବୃଦ୍ଧିରେ ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ, ଷ୍ଟିଲ କମ୍ପାନୀ ମାନଙ୍କୁ ଯେପରି ସୁବିଧାରେ ଲୁହାପଥର ମିଳିବ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ମିଳିପାରିବ ସେ ବିଷୟରେ ବୈଠକରେ ଚର୍ଚ୍ଚା  କରାଯାଇଛି । ଚଳିତ ବର୍ଷ ୩୦ଟି ଲୁହାପଥର ଖଣି ନିଲାମ୍ ହେବାର ସମ୍ଭାବନା ରହିଛି । ବୈଠକରେ ମୁଖ୍ୟ ଶାସନ ସଚିବ, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ସମ୍ପୃକ୍ତ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ ।