କନକ ବ୍ୟୁରୋ: ଯେତେବେଳେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି ଆଉ ତାଙ୍କ ବଦଳରେ ଦଳକୁ ସମ୍ଭାଳିବାକୁ ଦେବୀ ମିଶ୍ରଙ୍କୁ ଦାୟିତ୍ୱ ଦେଉଛନ୍ତି, ସେତେବେଳେ ଚର୍ଚ୍ଚା ହେବା ସ୍ୱାଭାବିକ ଯେ, କଣ ନବୀନଙ୍କ ପରେ ଏବେ ବିଜେଡିରେ ନମ୍ବର- ଟୁ ନେତା ହେଉଛନ୍ତି ଦେବୀ ମିଶ୍ର? କାହିଁକି ଦେବୀ ମିଶ୍ରଙ୍କୁ ଭରସା କଲେ ନବୀନ? ବିଜେଡିରେ ବଢୁଛି କି ଦେବୀଙ୍କ କାଟତି?

Advertisment

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ୨୨ ତାରିଖରେ ମୁମ୍ବାଇ ଯାଉଛନ୍ତି । ସର୍ଭାଇକାଲ ଆର୍ଥରାଇଟସ୍ ଚିକିତ୍ସା ପାଇଁ ବିଜେଡି ମୁଖିଆ ମୁମ୍ବାଇ ଯାଉଥିବାବେଳେ, ତାଙ୍କ ବଦଳରେ ଦଳ କେମିତି ଠିକ ଭାବେ ଚାଲିବ, ସେନେଇ ବନ୍ଦୋବସ୍ତ ବି କରିଛନ୍ତି । ନିଜେ ନବୀନ ଏନେଇ ନିଜେ ନୋଟିସ୍ ଜାରି କରିବା ସହ ତାଙ୍କ ଅନୁପସ୍ଥିତିରେ ଦଳର ରାଜନୈତିକ ବ୍ୟାପାର କମିଟି ସବୁକିଛି ବୁଝାବୁଝି କରିବ ବୋଲି କହିଦେଇଛନ୍ତି । ସେହିପରି ଦଳର ବରିଷ୍ଠ ଉପସଭାପତି ଥିବା ଦେବୀ ମିଶ୍ର ଦଳର ବିଭିନ୍ନ ଶାଖାର କାର୍ଯ୍ୟକ୍ରମ ମଧ୍ୟରେ ସମନ୍ୱୟ ରଖିବେ ବୋଲି ନୋଟିସ୍ କରିଛନ୍ତି ନବୀନ ପଟ୍ଟନାୟକ । ଯାହାପରେ ଦେବୀ ମିଶ୍ର ବିଜେଡିର ନମ୍ବର-ଟୁ ନେତା କି ବୋଲି ଚର୍ଚ୍ଚା ସୃଷ୍ଟି ହୋଇଛି ।

ଅଭିଜ୍ଞତାରେ ଦେଖିବାକୁ ଗଲେ ଦେବୀ କମ୍ ନୁହନ୍ତି । ୬-୬ ଥରର ବିଧାୟକ ଆଉ ସରକାର ଥିଲାବେଳେ ଏକାଧିକ ବାର ମନ୍ତ୍ରୀ । ନବୀନଙ୍କ ଅନୁପସ୍ଥିତିରେ ଦଳର ବରିଷ୍ଠ ସଦସ୍ୟଭାବେ ତାଙ୍କୁ ଦାୟିତ୍ୱ ଦେବା କିଛି ଭୁଲ କଥା ନୁହେଁ । ହେଲେ ବିଜେଡିରେ ଅନେକ ନେତା ଥିଲେ ବି ଅନ୍ୟ ନେତାଙ୍କୁ ଦାୟିତ୍ୱ ନ ଦେଇ କାହିଁକି ଦେବୀଙ୍କୁ ଦାୟିତ୍ୱ ଦିଆଗଲା ତା ନିଶ୍ଚୟ ଆଲୋଚନାର ବିଷୟ । କାହିଁକି ନା ଯେବେଠୁ ଦଳ ସରକାରରୁ ଗଲାଣି ସେବେଠୁ ଦଳରେ ଏକାଧିକ ନେତା ସାମ୍ନାକୁ ଆସିଛନ୍ତି । କେତେବେଳେ ସଞ୍ଜୟ ଦାସ ବର୍ମା, ତ ଆଉ କେତେବେଳେ ଅରୁଣ ସାହୁ । ସଙ୍ଗଠନ ସଜାଡ଼ିବା ନେଇ ଅନେକ ସମୟରେ ଅନେକ ବିଜେଡି ନେତାଙ୍କ ନାଁ ଉଠୁଛି । ହେଲେ ତାହାରି ଭିତରେ କିନ୍ତୁ ଦେବୀ ମିଶ୍ର ନବୀନଙ୍କ ମନ ଜିଣିପାରିଛନ୍ତି ।

ଏହା ପୂର୍ବରୁ ଯେତେବେଳେ ବିଜେଡିର ରାଜ୍ୟସ୍ତରୀୟ କମିଟି ଗଠନ ହେଲା ସେତେବେଳେ ମଧ୍ୟ ନବୀନଙ୍କ ଗୁଡ୍ ବୁକରେ ରହିଥିଲେ ଦେବୀ ମିଶ୍ର । ସେଇଥିପାଇଁ ତ ତାଙ୍କୁ ଦଳର ବରିଷ୍ଠ ଉପ ସଭାପତି ଦାୟିତ୍ୱ ସହିତ ହେଡକ୍ୱାର୍ଟର ଦାୟିତ୍ୱ ମଧ୍ୟ ଦେଇଥିଲେ ନବୀନ । ଆଉ ଏବେ ଯେତେବେଳେ ନବୀନ ଓଡ଼ିଶାରୁ ବାହାରକୁ ଯାଉଛନ୍ତି ସେତେବେଳେ ନବୀନ ଦେବୀଙ୍କୁ ଦେଇଛନ୍ତି ଗୁରୁ ଦାୟିତ୍ୱ ।