କନକ ବ୍ୟୁରୋ: ନବୀନ ଫେଲ ମାରିଥିଲେ ମୋହନ ହେବେ କି ପାସ ? ଦୀର୍ଘ ୮ ବର୍ଷ ପରେ ଓଡିଶା ଆସିବାକୁ ଯାଉଛି ବହୁରାଷ୍ଟ୍ରୀୟ କମ୍ପାନୀ ପୋସ୍କୋ । ଏଥିସହ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାକୁ ଆହୁରି ବହୁ ଶିଳ୍ପପତି ଶିଳ୍ପ ଆଣି ଆସିବେ ବୋଲି କୁହାଯାଉଛି। ଯାହାକୁ ନେଇ ମୋହନ ସରକାରଙ୍କ ଭିତରେ ନୂଆ ଆଶା ସଂଚାର ହୋଇଛି।

Advertisment
  • ନବୀନ ହୋଇଥିଲେ ବିଫଳ 
  • ମୋହନ ହେବେ କି ସଫଳ?
  • ଓଡ଼ିଶା ଫେରୁଛି ପୋସ୍କୋ
  • ଉତ୍କର୍ଷ ଓଡିଶାରେ ହେବ ଏମଓୟୁ 

ଅନେକ ଆଶା ଅନେକ ସ୍ୱପ୍ନ ଦେଖାଇ ୨୦୧୭ ମସିହାରେ ଓଡ଼ିଶାରୁ ବିଦାୟ ନେଇଥିଲା ଚର୍ଚ୍ଚିତ କମ୍ପାନୀ ପୋସ୍କୋ । କୋଟି କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଲେ, ହଜାର ହଜାର ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ନବୀନ ସରକାର ସେତେବେଳେ ଡେଙ୍ଗୁରା ପିଟିଥିଲେ । ହେଲେ ଫେଲ ମାରିଥିଲା ନବୀନ ସରକାରଙ୍କ ଏହି ଡ୍ରିମ ପ୍ରୋଜେକ୍ଟ । କିନ୍ତୁ ପୁଣିଥରେ ଦୀର୍ଘ ୮ ବର୍ଷ ପରେ ଜେଏସଡବ୍ଲୁର ହାତ ଧରି ଓଡ଼ିଶା ଆସିବାକୁ ଯାଉଛି ବହୁରାଷ୍ଟ୍ରୀୟ କମ୍ପାନୀ ପୋସ୍କୋ । ତେବେ ପୋସ୍କୋ ଫେରିବା ନେଇ ମୁଖ୍ୟମନ୍ତ୍ରୀ ନିଜେ ସଙ୍କେତ ଦେବା ପରେ ଚର୍ଚ୍ଚାର ବିଷୟ ହୋଇଛି। ସତରେ କଣ ପୁଣି ଥରେ ପୋସ୍କୋ ଓଡ଼ିଶା ଫେରିବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଓଡ଼ିଶା ଫେରୁଛି ପୋସ୍କୋ 

  • ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ ପ୍ଲାଣ୍ଟ
  • ଆସନ୍ତା ୨୮ କିମ୍ୱା ୨୯ ରେ ଉତ୍କର୍ଷ ଓଡ଼ିଶାରେ ହେବ ଏମଓୟୁ  
  • ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା
  • ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ଅନୁମତି ନେଇ ଟାସ୍କଫୋର୍ସ ଟିମ ଅନୁଧ୍ୟାନ କରୁଛନ୍ତି
  • ପ୍ରାୟ ୬୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବେ ପୋସ୍କୋ ଓ ଜେଏସଡବ୍ଲୁ
  • ମୋହନ ମାଝୀଙ୍କ ହେବ ଏହା ଡ୍ରିମ ପ୍ରୋଜେକ୍ଟ 
  • ୧୦ ହଜାରରୁ ଅଧିକ ଲୋକଙ୍କୁ ମିଳିପାରେ ନିଯୁକ୍ତି

ଆସନ୍ତା ୨୮ ତାରିଖରେ ଆରମ୍ଭ ହେଉଛି ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ। ଓଡ଼ିଶାରେ ନିବେଶ ପାଇଁ ବଡ଼ ବଡ଼ ଶିଳ୍ପ ହସ୍ତୀ କାର୍ଯ୍ୟକ୍ରମକୁ ଆସିବେ । ସୂଚନା ଅନୁସାରେ ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ, ଆଦିତ୍ୟ ବିର୍ଲାର ଅଧ୍ୟକ୍ଷ ମଙ୍ଗଳମ ବିର୍ଲା, ରିଲାଏନ୍ସ ଗ୍ରୁପ, ଟାଟା ଗ୍ରୁପ, ଜେଏସଡବ୍ଲୁରୁ ନବୀନ ଜିନ୍ଦଲ, ଆଇଟି ସେକ୍ଟରର ହେଡ, ସିଙ୍ଗାପୁରର କିଛି ବଛାବଛା ଶିଳ୍ପ ସଂସ୍ଥା ମେକ ଇନ ଓଡ଼ିଶାରେ ସାମିଲ ହେବେ। ଖାଲି ସେତିକି ନୁହେଁ ପ୍ରବାସୀ ଓଡ଼ିଶା କାର୍ଯ୍ୟକ୍ରମରେ ଆହୁରି ଅନେକ ଶିଳ୍ପପତି ଓଡ଼ିଶାରେ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେଣୁ ସେମାନେ ଉତ୍କର୍ଷ ଓଡ଼ିଶାରେ ସରକାରଙ୍କ ସହ ବୁଝାମଣା କରିପାରନ୍ତି ।