କନକ ବ୍ୟୁରୋ: ୱାକଫ୍ ବିଲ୍ ସମର୍ଥନରେ ବିଜେଡିର କିଛି ସାଂସଦ ଭୋଟ ଦେବା ପ୍ରସଙ୍ଗ ନବୀନଙ୍କ ତଂଟିରେ କଣ୍ଟା ଫୋଡି ହେଲାଭଳି ପରସ୍ଥିତି ସୃଷ୍ଟି କରିଛନ୍ତି । ନା ଢ଼ୋକି ପାରୁଛନ୍ତି ନା କହି ପାରୁଛନ୍ତି। ଉଭୟ ପକ୍ଷକୁ ବାଲାନ୍ସ କରିବା ପାଇଁ ନବୀନ ଯେଉଁ ଚାଲ୍ ଖେଳିଥିଲେ ତାହା ଧରାପଡି ଯାଇଛି । ବିବେକ ଅନୁସାରେ ଭୋଟ ଦେବାକୁ ନବୀନ କହୁଥିବାର ଏକ ଭିଡିଓ ଓ ଲେଖା, ଦଳୀୟ ସାଂସଦ ସୁଲତା ଦେଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ପଦାରେ ପଡିଛି । ଅବଶ୍ୟ ନବୀନ ବିବେକାନୁମୋଦିତ କଥାଟା ଅତି ଚତୁରତାର ସହ କହିଥିଲେ । ଯାହାକୁ ନେଇ ବିଶେଷ ଆଲୋଚନା ହୋଇନଥିଲା ।
ସୁଲତା କେବଳ ନବୀନଙ୍କ ପୋଲ୍ ଖୋଲି ନାହାନ୍ତି, ସସ୍ମିତଙ୍କୁ ସମର୍ଥନ କରିବା ସହ ବିଜେଡି ସାଂସଦ ମୁନା ଖାଁ ଓ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିଛନ୍ତି । ଶହ ଶହ ମୁସଲମାନଙ୍କୁ ସାଂଗରେ ଧରି ନବୀନ ନିବାସ ଯାଇ ମୁନା କରିଥିବା ଅଭିଯୋଗକୁ ଏକ ପ୍ରାୟୋଜିତ ଷଡଯନ୍ତ୍ର ବୋଲି କହିଛନ୍ତି। ତେବେ ସୁଲତାଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ଚିହିଁକି ଉଠିଛନ୍ତି ମୁସଲିମ ଭୋଟର । ନବୀନ ପଟ୍ଟନାୟକ ପଛରୁ ଛୁରୀ ଭୁଷିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ନୀତୀଶ ଓ ନାଇଡୁଙ୍କ ଭଳି ପ୍ରତାରଣା କରିଛନ୍ତି ବୋଲି କହିଛନ୍ତି। ଏଥିସହ ଆଗାମି ଦିନରେ ଏହାର ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।
ୱାକଫ୍ ବିଲ୍କୁ ବିରୋଧ କରିବାକୁ ନବୀନ ସଂସଦୀୟ ଦଳ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ରାଜ୍ୟସଭାରେ ମୁନା ଖାନ୍ ବିଲ୍କୁ ବିରୋଧ କରିଥିଲେ । ହେଲେ, ଦଳ ପକ୍ଷରୁ କୌଣସି ହୁଇପ୍ ଜାରି କରାଯାଇନଥିଲା । ସେହିଦିନ ସସ୍ମିତ ଅଚାନକ ଏକ ପୋଷ୍ଟ କରି ବିବେକ ଅନୁସାରେ ଭୋଟ ଦେବା କଥା କହିଥିଲେ । ଆଉ ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ। ଯାହାକୁ ବିରୋଧ କରି ଦୁଇଫାଳ ହୋଇଯାଇଛି ବିଜେଡି। କିନ୍ତୁ ବିବାଦ ବଢ଼ିବା ପରେ ନବୀନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି।