କନକ ବ୍ୟୁରୋ : ଚାଲିଛି ନବରାତ୍ରି । ଶକ୍ତି ପୀଠ ଠାରୁ ଆରମ୍ଭ କରି ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ପୂଜା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଦାଣ୍ଡୁମାଳି ପୀଠରେ ବି ବେଶ ଆଡ଼ମ୍ବର ସହକାରେ ପାଳନ କରାଯାଉଛି ନବରାତ୍ରି ପୂଜା ।
ପାରଳାଖେମୁଣ୍ଡିର ଦାଣ୍ଡୁମାଳି ପୀଠ । ବର୍ଷ ସାରା ବନ୍ଦ ରହୁଥିବା ଏହି ମନ୍ଦିର ଦଶହରାରେ ଖୋଲେ । ମୂଳାଷ୍ଟମୀଠୁ ୧୬ ଦିନ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଥାଏ । ଏହିସମୟରେ ମନ୍ଦିରକୁ ସୁନ୍ଦର ଭାବେ ସଜେଇ ଧୁମଧାମରେ ପୂଜାର୍ଚ୍ଚନା କରାଯାଏ । ୧୬ଦିନର ପୂଜା ପରେ ଦଶହରାର ବିଳମ୍ବିତ ରାତିରେ ପୀଠରେ ଏକ ନଡ଼ିଆ ରଖି ପୁଣି ବନ୍ଦ କରିଦିଆଯାଏ । ଶାରଦୀୟ ପାର୍ବଣରେ ମାଆଙ୍କୁ ଦର୍ଶନ କରି ମାନସିକ କଲେ ପୂରଣ ହୁଏ ବୋଲି ବିଶ୍ବାସ ରହିଛି ।
ଦାଣ୍ଡୁମାଳି ପୀଠକୁ ନେଇ ରହିଛି ଭିନ୍ନ ମତ। ପୂଜକଙ୍କ କହିବା ଅନୁସାରେ, ଏହା କୌଣସି ଶକ୍ତି ପୀଠ ନୁହେଁ। ଦଣ୍ଡାମା ହେଉଛନ୍ତି ୬୪ ଯୋଗିନୀଙ୍କ ପ୍ରତିନିଧି । କଦମ୍ବଖଣ୍ଡା ଶକ୍ତିପୀଠରେ ନବରାତ୍ର ସମୟରେ ମା’ଙ୍କୁ ନିମନ୍ତ୍ରଣ ପାଇଁ ବଳି ଦିଆଯାଉଥିଲା । ଏହି ସମୟରେ ମା’ଙ୍କ ସହ ଆସୁଥିବା ୬୪ ଯୋଗିନୀଙ୍କ ପ୍ରତିନିଧି ସ୍ଥାନରେ ରହିଥାନ୍ତି ଦଣ୍ଡମା’।
ଶକ୍ତି ହୁଅନ୍ତୁ କିମ୍ବା ଯୋଗିନୀଙ୍କ ପ୍ରତିନିଧି, ଏହି ପୀଠର ରହିଛି ସ୍ବତନ୍ତ୍ର ମାହାତ୍ମ୍ୟ ।