କନକବ୍ୟୁରୋ : ପ୍ରକୃତିର ତାଣ୍ଡବ ଥରହର ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶ  । ଲଗାଣ ବର୍ଷା ପରେ ଉଭୟ ରାଜ୍ୟକୁ ମାଡିଆସିଛି ପ୍ରଳୟଙ୍କାରୀ ବନ୍ୟା ସାଙ୍ଗକୁ ଭୁସ୍ଖଳନ । ହିମାଚଳରେ ରେଡ ଆଲର୍ଟ ଜାରି କରାଯିବା ସହ ଦିନକ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି  । ସେପଟେ  ସୁ ସୁ ଗର୍ଜନ କରି ମାଡି ଆସୁଛି ବନ୍ୟା ଜଳ । ପାଣିର ସୁଅ ଏତେ ପ୍ରଖର ଯେ ସବୁ କିଛି ଧୋଇ ନେଉଛି  ।  ପାହାଡ ଉପରୁ ବର୍ଷା ଜଳର ଅନବରତ ସ୍ରୋତ ପରେ ଏବେ ଫୁଲୁଛି ନଦୀ ।  ହିମାଚଳ ପ୍ରଦେଶର ଅନେକ ନଦୀରେ ଏବେ ବନ୍ୟା ସ୍ଥିତି ।  

Advertisment

ନଦୀ ଉଛୁଳିବା କାରଣରୁ ବିପଦ ବଢିଛି । ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।  ମଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପରେ ସ୍ଥିତି ସଙ୍ଗୀନ ହୋଇଛି ।   ଇତିମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହିମାଚଳ ପ୍ରଦେଶ ପାଇଁ ରେଡ୍ ଆଲର୍ଟ ଜାରି କରିଥିବା ବେଳେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରିଛି  ।  

ସେପଟେ ସ୍ଥାନୀୟ ଲୋକେ କହିଛନ୍ତି ଗତକାଲି ବିଳମ୍ବିତ ରାତିରୁ ମଣ୍ଡିରେ ପ୍ରବଳ ବର୍ଷା ହେଉଛି, ସକାଳ ଯାଏଁ ବି ବର୍ଷା ଚାଲିଛି  । ସ୍ଥାନେ ସ୍ଥାନେ ଭୂସ୍ଖଳନ ବି ହେଉଛି  । ତେଣୁ ସମସ୍ତେ ସୁରକ୍ଷିତ ଭାବେ ଘରେ ରହିବା ଜରୁରୀ ବୋଲି ସ୍ଥାନୀୟ ବାସିନ୍ଦା ଜଣଙ୍କ ଅନୁରୋଧ କରିଛନ୍ତି । କିଏ ଜୀବନ ବଞ୍ଚାଇବାକୁ ଘର ଛାଡୁଛି ତ ପୁଣି କିଏ ଜଳବନ୍ଦୀ ଅବସ୍ଥାରେ ଉଦ୍ଧାର ପାଇଁ ଅପେକ୍ଷା କରିଛି । ପ୍ରକୃତିର ଏ କରାଳ ରୂପ ଦେଖି ଲୋକେ ୨୦୨୩ର କଥା ମନେ ପକାଇଛନ୍ତି ।