କନକ ବ୍ୟୁରୋ : ଯେତେବେଳେ ପ୍ରକୃତି କୋପ କରିବ , ତା’ର ପରିଣାମ ଭୟଙ୍କର ହେବ । କିଛି ଏଭଳି ଘଟିଛି ପଶ୍ଚିମବଙ୍ଗର ସ୍ବର୍ଗ କୁହାଯାଉଥିବା ଦାର୍ଜିଲିଂରେ । ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଦାର୍ଜିଲିଂ । କେଉଁଠି ବର୍ଷା ପାଣିରେ ପୋଲ ଭୁଶୁଡ଼ିଛି ତ କେଉଁଠି ଭୂସ୍ଖଳନ ଯୋଗୁଁ ରାସ୍ତାକୁ ଧସେଇ ପଡ଼ିଛି ମାଟି ଅତଡ଼ା । ପ୍ରକୃତିର ଏହି ତାଣ୍ଡବରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ନିଖୋଜ ଥିବା ସୂଚନା ମିଳିଛି । ଉତ୍ତର ବେଙ୍ଗଲରେ ଲଗାତାର ବର୍ଷା ଯୋଗୁଁ ସ୍ଥିତି ବେହାଲ। ଦାର୍ଜିଲିଂର ମିରିକ ଓ ସୁଖିଆ ପୋଖରୀରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ୧୭ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଭୂସ୍ଖଳନ ଯୋଗୁଁ ପଶ୍ଚିମବଙ୍ଗ ଏବଂ ସିକ୍କିମକୁ ସଂଯୋଗ କରୁଥିବା ରାସ୍ତା ଏବଂ ଦାର୍ଜିଲିଂ ଏବଂ ସିଲିଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ସମେତ ପ୍ରମୁଖ ରାସ୍ତାଗୁଡ଼ିକରେ ରାସ୍ତା ଅବରୋଧ ହୋଇଛି । ଭୂସ୍ଖଳନ ଯୋଗୁଁ ଅନେକ ଘର ଭଗ୍ନାବଶେଷରେ ପରିଣତ ହେବା ସହ ପ୍ରମୁଖ ରାସ୍ତାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ଅନେକ ଦୁର୍ଗମ ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ମିରିକ-ସୁଖିଆପୋଖରୀ ରାସ୍ତାରେ ମାଟି ଅତଡ଼ା ଧସିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଫଳରେ ଅନେକ ଗାଁ ସମ୍ପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।
 
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେବେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ସ୍ଥିତି ଗମ୍ଭୀର ରହିଛି । ଦୁର୍ଗା ପୂଜା ପରେ କୋଲକାତା ଏବଂ  ଅନ୍ୟାନ୍ୟ ଅଞ୍ଚଳରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଦାର୍ଜିଲିଂ ଆସିଥିବା ବେଳେ ସେମାନେ ଫସି ରହିଛନ୍ତି । କୌଣସି ଅପ୍ରୀତିକର ଘଟଣା ଏଡ଼ାଇବା ପାଇଁ ଟାଇଗର ହିଲ୍ ଏବଂ ରକ୍ ଗାର୍ଡେନ୍ ସମେତ ଦାର୍ଜିଲିଂରେ ପର୍ଯ୍ୟଟନସ୍ଥଳଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ସେପଟେ ଦାର୍ଜିଲିଂ ବିପର୍ଯ୍ୟୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନ୍ୟପକ୍ଷରେ ଦାର୍ଜିଲିଂ ଓ କାଲିପୋଙ୍ଗ ସମେତ ଆଉ କିଛି ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । 

Advertisment