କନକ ବ୍ୟୁରୋ : ପ୍ରକୃତି ଦେଉଛି ରୋଜଗାର । ଖରାଦିନେ ନବରଙ୍ଗପୁର ଜିଲ୍ଲାରେ ଆଦିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିଛି କେନ୍ଦୁ । ବନ ଜଙ୍ଗଲ ଘେରା ନବରଙ୍ଗପୁର ଜିଲ୍ଲାରେ ପ୍ରକୃତି ଅନେକ ସ୍ୱାଦିଷ୍ଟ ତଥା ସ୍ୱାସ୍ଥ୍ୟ ଉପଯୋଗୀ ଫଳ ଦେଇଥିବା ବେଳେ କେନ୍ଦୁ ସେଥିମଧ୍ୟରୁ ଅନ୍ୟତମ । ବଣ ଜଙ୍ଗଲ କିମ୍ବା ଘର ବାରିରେ ମଧ୍ୟ ଏହି କେନ୍ଦୁ ମିଳିଥାଏ । ଯାହାର ସ୍ୱାଦ ନିଆରା । ଖରା ଆରମ୍ଭରୁ ଆମ୍ବ, ପଣସ, ଲିଚି, ସେପଟା ଭଳି ଅନେକ ଋତୁକାଳିନ ଫଳ ମିଳୁଥିବା ବେଳେ କେନ୍ଦୁ ମଧ୍ୟ ଏହି ଖରାଦିନେ ଫଳିଥାଏ । ବିଶେଷକରି ଆଦିବାସୀ ମହିଳା ମାନେ ଜଙ୍ଗଲ କିମ୍ବା ଗାଁ ତୋଟାରୁ କେନ୍ଦୁ ସଂଗ୍ରହ କରି ବିକ୍ରି କରନ୍ତି । ଅନ୍ୟ ଫଳ ଭଳି କେନ୍ଦୁର ମଧ୍ୟ ସ୍ୱତନ୍ତ୍ର ସ୍ୱାଦ ଥିବାରୁ ଏହାର ଚାହିଦା ଢେର ଅଧିକ ରହିଛି । ତେଣୁ ବଜାରରେ ଏହାକୁ ବିକ୍ରି କରି ରୋଜଗାର କରୁଛନ୍ତି ଆଦିବାସୀ । 

Advertisment

ଜିଲ୍ଲାରେ ଶୀତଳ ଭଣ୍ଡାରର ଅଭାବ ଥିବାରୁ ଏହାର ସଂରକ୍ଷଣ ହୋଇପାରୁନାହିଁ । ଅପରପକ୍ଷରେ ଜଙ୍ଗଲ ନିଆଁର ଆଁରେ ଅନେକ ବୃକ୍ଷ ପରି କେନ୍ଦୁଗଛ ମଧ୍ୟ ନଷ୍ଟ ହୋଇଗଲାଣି । କେନ୍ଦୁ ବିନା କୌଣସି ଖତ ରାସାୟନିକ ସାରରେ ହେଉଥିବାରୁ ଏହା ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥାଏ । କେନ୍ଦୁରେ ବିଭିନ୍ନ ଭିଟାମିନ, କାଲସିୟମ, ପ୍ରୋଟିନ ମଧ୍ୟ ରହିଛି । 

କେବଳ ନବରଙ୍ଗପୁର ଜିଲ୍ଲା ନୁହେଁ ପୋଡ଼ାଶୀ ଜିଲ୍ଲା ତଥା ପଡ଼ୋଶୀ ରାଜ୍ୟରେ ମଧ୍ୟ ଏହି କେନ୍ଦୁର ଚାହିଦା ଢ଼େର ଅଧିକ ରହିଛି ।