କନକ ବ୍ୟୁରୋ : ସମ୍ବଲପୁରରେ ଖୋଲିଲା ଗୋମୟ ପେଣ୍ଟ କମ୍ପାନିର ଶାଖା। ଏଠାରେ ଗୋବରରୁ ତିଆରି ହେଉଛି ରଙ୍ଗ । ଶୁଣିବାକୁ ଅଜବ ଲାଗୁଥିଲେ ବି କଥାଟି ସତ । ଦେଶରେ ପ୍ରଥମ ଥର ପାଇଁ ଭିନ୍ନ ଧରଣର ରଙ୍ଗ ପ୍ରସ୍ତୁତ କରିଛନ୍ତି ସମ୍ବଲପୁରର ଦୁର୍ଗା ପ୍ରିୟଦର୍ଶିନୀ ସାହୁ । ୩୦ ପ୍ରତିଶତ ଗୋବର ଥିବା ଏହି ପ୍ରାକୃତିକ ଗୋମୟ ପେଣ୍ଟ ସେ ପ୍ରସ୍ତୁତ କରୁଛନ୍ତି । ତାଙ୍କର କମ୍ପାନୀ ବରଗଡ଼ରେ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ବର ଓ ସମ୍ବଲପୁରରେ ଶାଖା ଖୋଲିଛି । ସମ୍ବଲପୁର ଶାଖାକୁ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ ଉଦଘାଟନ କରିଛନ୍ତି ।
କେମିକାଲ ଯୁକ୍ତ ରଙ୍ଗ ଅପେକ୍ଷା ଗୋମୟ ପେଣ୍ଟ ସୁଲଭ ଓ ଶସ୍ତା । ବଜାରରେ ଏହାର ଚାହିଦା ଧୀରେଧୀରେ ବଢ଼ିବାରେ ଲାଗିଥିବା ବେଳେ ଏହାକୁ ନେଇ ଦେଶ ବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଉଦ୍ୟୋଗୀ ଦୁର୍ଗା ପ୍ରିୟଦର୍ଶିନୀ ସାହୁ । ବୁଲା ଗାଈଗୋରୁଙ୍କ ଗୋବର ସଂଗ୍ରହ କରି ଓ ଚାଷୀଙ୍କଠାରୁ କେଜି ପ୍ରତି ୫ ଟଙ୍କାରେ ଗୋବର କିଣି ପ୍ରିୟଦର୍ଶିନୀ ରଙ୍ଗ ପ୍ରସ୍ତୁତ କରୁଛନ୍ତି । ସମ୍ବଲପୁରରେ ଗୋମୟ ପେଣ୍ଟ କମ୍ପାନୀ ଶାଖା ଖୋଲିଥିବା ବେଳେ ଜନସାଧାରଣ ଏହାର ସୁବିଧା ପାଇ ପାରିବେ ।