କନକ ବ୍ୟୁରୋ: ପ୍ରକୃତି ଆଉ ସହିପାରୁନି
ଖଣ୍ଡ ଖଣ୍ଡ ହେଉଛି ଉତ୍ତର
ଫାଟୁଛି ବାଦଲ, ଆସୁଛି ଭୟଙ୍କର ବନ୍ୟା
ପଦା କରିଦେଉଛି ଗାଁ, ପୋଛିନେଉଛି ଜୀବନ
ଓଃ କି ଭୟଙ୍କର ପ୍ରକୃତିର ତାଣ୍ଡବ । ଭାରି ଡରାଉଛି ତାର ଭୀଷଣ ରୂପ । ହେଲେ ତାର ବା କି ଦୋଷ । ମଣିଷ ତ ଏସବୁକୁ ନିମନ୍ତ୍ରଣ କରିଛି । ନିଜେ ସୁଖରେ ରହିବାକୁ ଦେବଭୂମିକୁ କରିଦେଇଛି ଚରାଭୁଇଁ । ଯାହା କେବେ ଶାନ୍ତ, ନିର୍ଜନ ରହୁଥିଲା ସେଠି ଏବେ ମାଳମାଳ ଲୋକ । ଯେଉଁ ଘଞ୍ଚ ଜଙ୍ଗଲ ଭିତରେ ସାଧୁ ସନ୍ନ୍ୟାସୀ ତପ କରୁଥିଲେ ସେଠି ଖାଲି ଘର, ଅଳିଆ , ଆବଜର୍ନା , ଆଉ ସରକାରୀ ପ୍ରୋଜେକ୍ଟ । ଯେଉଁ ପ୍ରକୃତିକୁ ମଣିଷ ପୂଜା କରୁଥିଲା ତାକୁ ଆଜି ପରୀକ୍ଷା କରୁଛି । ସୁଖ ସ୍ବାଚ୍ଛନ୍ଦ୍ୟ ଓ ବିଳାସରେ ରହିବାକୁ ମଣିଷ ପ୍ରକୃତିକୁ ଛାରଖାର କରୁଛି । ଆଉ ବା କେତେ ସହନ୍ତା ପ୍ରକୃତି । ତେଣୁ ଶାନ୍ତ, ସ୍ନିଗ୍ଧ ପ୍ରକୃତି ଆଜି ପ୍ରଚଣ୍ଡ ହୋଇଉଠିଛି । ତାର ଭୟଙ୍କର ଆଁରେ ସବୁ ଲୀନ ହୋଇଯାଉଛି
ଯାହା ଶହେ, ଦେଢଶହ ବର୍ଷର ଅବଧିରେ ହେବା କଥା ତାହା ଏବେ ସପ୍ତାହକୁ ୨ / ୩ ଦିନରେ ଥରେ ହେଉଛି । ଆକାଶରୁ କାଳ ହୋଇ ବର୍ଷୁଛି କାଳ । ଭସାଇନେଉଛି ଶହଶହ ଘରଦ୍ବାର । ପଦା କରିଦେଉଛି ଗାଁ ପରେ ଗାଁ । ନିଶ୍ଚିହ୍ନ ହେଉଛି ହଜାର ହଜାର ଜୀବନ । ଯାହା ଲଗାତାର କିଛି ବର୍ଷ ହେବ ଉତ୍ତରକାଶୀରେ ଦେଖିବାକୁ ମିଳୁଛି । ଧରାଲି, ଗଙ୍ଗୋତ୍ରୀଠାରୁ ପାଖାପାଖି ୨୦ କିଲୋମିଟର ଦୂର । ଗଙ୍ଗୋତ୍ରି, ଯମୁନେତ୍ରୀ, ବଦ୍ରିନାଥ, କେଦାରନାଥକୁ ପାଖ ହେଉଥିବା ଏହି ସ୍ଥାନକୁ ଗମନାଗମନ ସୁବିଧା କରିବାକୁ ସରକାର ଆରମ୍ଭ କଲେ କାମ । ଏଠିକାର ପାହାଡ଼ କଟାହେଲା । ନିର୍ମାଣ ହେଲା ଅନେକ ହୋଟେଲ, ଅତିଥିଶାଳା, ସବୁ । ବର୍ଷକୁ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବି ବଢ଼ିଲା । ଯେଉଁଠି ପହଞ୍ଚିବାକୁ ଲୋକଙ୍କୁ ୪ / ୫ ଦିନ ଲାଗୁଥିଲା ସେଠି ଏବେ ଲୋକେ ଦିନକରେ ପହଞ୍ଚୁଛନ୍ତି । କିନ୍ତୁ ପରିଣାମ , ଭୂସ୍ଖଳନ ଆଉ ବନ୍ୟା । ଉଜୁଡ଼ି ଯାଉଛି ଜୀବନ ,ହେଲେ ମୂଳ କଥା କେହି ବୁଝିବାକୁ ନାରାଜ ।
ଖାଲି ଉତ୍ତରକାଶୀ ନୁହେଁ ପଞ୍ଜାବ, ଚଣ୍ଡିଗଡ଼ରେ ବି ସ୍ଥିତି ଆହୁରି ଭୟଙ୍କର । ଅସମ୍ଭବ ବର୍ଷାରେ ଉତ୍ତର ଭାରତ ଉବୁଟୁବୁ ।ପଞ୍ଜାବ , ହରିୟାଣା, ଦିଲ୍ଲୀ, ହିମାଚଳ, ଜମ୍ମୁ-କାଶ୍ମୀର ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଆଣିଛି ବିତ୍ପାତ । ପାଣିରେ ବୁଡ଼ିଛି ଘରଦ୍ବାର । ଷଢ଼ିପଚି ଯାଇଛି ଫସଲ । ହା ହତାସ ଭିତରେ ଜୀବନ । ଡହଳବିକଳ ୧୬୫୫ ଗାଁ ଲୋକ । ରାଜସ୍ଥାନରେ ବି ଏକା ଅବସ୍ଥା । ୫୦ରୁ ଅଧିକ ଗାଁ ପାଣିରେ । ଦିଲ୍ଲୀ କଥା ନକହିବା ଭଲ । ସବୁଠି ପାଣି ଆଉ ପାଣି । ଲୋକେ ଘରୁ ବାରିବା ମୁସ୍କିଲ । ଜୀବନ ଏଠି ସ୍ଥାଣୁ ପାଲଟିଯାଉଛି ।
ରିପୋର୍ଟ କହୁଛି ବଦଳୁଛି ପାଣିପାଗର ମିଞ୍ଜାସ । ତେଣୁ କେଉଁଠି ଢାଳୁଛି ତ କେଉଁଠି ଭୂଶୁଡ଼ୁଛି । ଜମ୍ମୁ କାଶ୍ମୀର, ଲଦାଖରେ ଚଳିତ ମାସରେ ଭୀଷଣ ବର୍ଷା ହୋଇଛି । ୯୩୦ ପ୍ରତିଶତ ଅଧିକ ବର୍ଷା । ଭାସୁଛି ଅଧା ଭୂସ୍ଥଳ । ଖାଲି ଉତ୍ତର ନୁହେଁ ପଶ୍ଚିମ, ଦକ୍ଷିଣ ସବୁଠି ଗାଜୁଛି ଭୀଷଣ ବର୍ଷା । ମଣିଷ ଯାହା କରିଛି ତାର ପରିଣାମ ଏବେ ଭୋଗୁଛି । ନିଜେ ନିଜର ସର୍ବନାଶକୁ ଦେଇଛି ନିମନ୍ତ୍ରଣ । ପୂର୍ବରୁ ଅନେକ ଥର ବିପଦର ସତର୍କବାଣୀ ଦେଇଛି ପ୍ରକୃତି । ତଥାପି ବୁଝିନି ମଣିଷ । ଏବେ ପରିଣାମ ଧ୍ବଂସ ଆଉ ଧ୍ବଂସ । ଏସବୁ ଦେଖିବା ପରେ ମନକୁ ପ୍ରଶ୍ନ ଆସୁଛି ,ସତରେ କ’ଣ ମହାପୁରୁଷଙ୍କ ଭବିଷ୍ୟବାଣୀ ସତ ହେବ , ସମୁଦ୍ର ଉଜାଣି ବହିବ, ପାହାଡ଼ ଦୋହଲିଯିବ, ଧରିତ୍ରୀ ଜଳାର୍ଣ୍ଣବ ହେବ ଆଉ ଏ ସୃଷ୍ଟି ନାଶ ଯିବ?