କନକ ବ୍ୟୁରୋ: ଅପରେସନ୍ ସିନ୍ଦୂର ନେଇ ବିବାଦୀୟ ବୟାନ ରଖିଲେ ମହାରାଷ୍ଟ୍ର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନାନା ପଟୋଲେ । ଅପରେସନ୍ ସିନ୍ଦୂରକୁ ଭିଡିଓ ଗେମ୍ ବୋଲି କହିବା ସହିତ ବିଜେପି ସରକାରକୁ କଟାକ୍ଷ କରିଛନ୍ତି ମହାରାଷ୍ଟ୍ରର ଏହି ନେତା । ତାଙ୍କ କହିବା ମୁତାବକ, ପାକିସ୍ତାନର କେଉଁ କେଉଁ ଜାଗାରେ ଆମେ ଆକ୍ରମଣ କରିବା, ବିଦେଶ ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ଜଣାପଡୁଥିଲା । ଯାହାଫଳରେ ପାକିସ୍ତାନ ସେହି ସେହି ଜାଗାରୁ ନିଜ ଲୋକଙ୍କୁ ହଟାଇ ଦେଇଥିଲା । ଯାହାଫଳରେ କି, ଅପରେସନ୍ ସିନ୍ଦୂର ପିଲାଙ୍କ ଦ୍ୱାରା କମ୍ପ୍ୟୁଟରରେ ଖେଳାଯାଉଥିବା ଏକ ଭିଡିଓ ଗେମ୍ ଭଳି ହୋଇଯାଇଥିଲା ।
ତେବେ ମହାରାଷ୍ଟ୍ର କଂଗ୍ରେସର ପୂର୍ବତନ ସଭାପତିଙ୍କ ଏଭଳି ବୟାନ ପରେ ମହାରାଷ୍ଟ୍ର ବିଜେପି ମୁଖ୍ୟ ତଥା ରାଜସ୍ୱ ମନ୍ତ୍ରୀ ଚନ୍ଦ୍ରଶେଖର ବାଓ୍ୱନକୁଲେ ତାଙ୍କୁ କଟାକ୍ଷ କରିଛନ୍ତି । କହିଛନ୍ତି, ନାନା ପଟୋଲେ ଅପରେସନ୍ ସିନ୍ଦୂରକୁ କମ୍ପ୍ୟୁଟର ଗେମ୍ ବୋଲି କହି ପ୍ରମାଣ କରିଦେଇଛନ୍ତି ଯେ କଂଗ୍ରେସର ହାତ ପାକିସ୍ତାନ ସହିତ ରହିଛି । ଭାରତର ଶତ୍ରୁଙ୍କ ଛାତିରେ ଭୟ ସୃଷ୍ଟି କରୁଥିବା ଅପରେସନ୍ ସିନ୍ଦୂରକୁ ଅପମାନ କରିବା ଆମ ବୀର ସୈନିକ ଏବଂ ତାଙ୍କ ବୀରତ୍ୱ ପ୍ରତି ଅପମାନ ଅଟେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅପରେସନ୍ ସିନ୍ଦୂର କୌଣସି କମ୍ପ୍ୟୁଟର୍ ଗେମ୍ ନୁହେଁ, ଏହା ପାକିସ୍ତାନର ଆତଙ୍କୀଙ୍କୁ ସଫା କରିବା ପାଇଁ କରାଯାଇଥିବା ଏକ ବୀରତ୍ୱପୂର୍ଣ୍ଣ ଅପରେସନ୍ । ଏହା ବୀରତ୍ୱର ଏକ ଜ୍ୱଳନ୍ତ ଉଦାହରଣ, ଯାହାକି ଦେଶଦ୍ରୋହୀଙ୍କ ମନରେ ଭୟ ସୃଷ୍ଟି କରିଛି । ଜାଣିରଖିବା ଉଚିତ୍ ଯେ, ପହଲଗାମ୍ ଆକ୍ରମଣ ପରେ ଭାରତ ଏହାର ପ୍ରତି ଜବାବରେ ଅପରେସନ୍ ସିନ୍ଦୂର କରିଥିଲା । ଯେଉଁଥିରେ କି ଭାରତୀୟ ସେନାର ଯବାନମାନେ ପାକିସ୍ତାନ ଏବଂ ପିଓକେ ଭିତରେ ପଶି ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରିଥିଲେ ।