କନକ ବ୍ୟୁରୋ: ଓଡ଼ିଶା ହସ୍ତତନ୍ତର ଅନ୍‌ଲାଇନ୍ ବ୍ୟବସାୟିକ ପ୍ଲାଟଫର୍ମ ‘ଆର୍ଟସ ଅଫ୍ ଉଇଭିଂ’ ତରଫରୁ ଅତି ଆକର୍ଷଣୀୟ ଏବଂ ନିଆରା ଭାବରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ଓଡ଼ିଶାର ବୁଣାକାର ପରମ୍ପରାକୁ ସମ୍ମାନ ଦେବା ସହ ଏହାକୁ ନୂତନ ଦିଗରେ ଆଗେଇ ନେବା ପାଇଁ ଅଭିନବ ପ୍ରୟାସ କରାଯାଇଛି । ଏବର୍ଷ ‘ ଆର୍ଟସ ଅଫ୍ ଉଇଭିଂ’ (ଏଓଡବ୍ଲ୍ୟୁ) ତାଙ୍କର ଓଡିଶା ହସ୍ତତନ୍ତ ସାମଗ୍ରୀକୁ ଏଆଇ ମଡେଲ୍ ମାଧ୍ୟମରେ ଦର୍ଶାଇବା ଆରମ୍ଭ କରିଛନ୍ତି, ଯାହା ଅତ୍ୟନ୍ତ କମ ଖର୍ଚ୍ଚ ଓ ତ୍ଵରିତ ଉପାୟରେ ଉତ୍ପାଦମାନଙ୍କୁ ବିଶ୍ୱସ୍ତରରେ ଉପସ୍ଥାପନ କରିବାରେ ସାହାଯ୍ୟ କରିଛି । ଏହି ମାଧ୍ୟମରେ ଓଡ଼ିଶା ହସ୍ତତନ୍ତକୁ ବିଦେଶୀ ଗ୍ରାହକଙ୍କ ସହ ସଂଯୁକ୍ତ କରାଯାଇପାରିଛି ।

Advertisment

WhatsApp Image 2025-08-07 at 9.34.08 PM

ହସ୍ତତନ୍ତ ଦିବସ ପାଳନ ଅବସରରେ ଏଓଡବ୍ଲ୍ୟୁ ପକ୍ଷରୁ ଏରି ସିଲ୍କର ପ୍ରଚାରପ୍ରସାର ପାଇଁ ପଦକ୍ଷେପ ନିଆଯାଇଛି । ଏରି ସିଲ୍କକୁ ଅହିଂସା ରେସମ ବା କରୁଣା ରେସମ ବି କୁହାଯାଏ । ପାରମ୍ପରିକ ରେସମ ଉତ୍ପାଦନରେ ରେସମ କୀଟକୁ ଜୀବନ୍ତ ଅବସ୍ଥାରେ ସିଝେଇ ଦିଆଯାଏ । କିନ୍ତୁ ଏରି ରେସମ ଉତ୍ପାଦନରେ ଏହି କୀଟକୁ କୌଣସି ହାନି ନ କରାଯାଇ, ତାକୁ ପୂର୍ଣ୍ଣ ଜୀବନଚକ୍ର ସମାପ୍ତ କରି ବାହାରିବା ପରେ ରେସମକୁ ତିଆରି କରାଯାଏ । ଏହି ମାନବିକ ସମ୍ବେଦନ ଓ ଅହିଂସାର ଧାରାକୁ ଏକ ନୀତିଗତ ବିକଳ୍ପ ହିସାବରେ ବିଶ୍ଵରେ ପ୍ରଚାର କରାଯାଉଛି ।

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏକ ଉତ୍ସବରେ ଏଓଡବ୍ଲ୍ୟୁ ପକ୍ଷରୁ ପ୍ରଥମ ୫୦ ଜଣ ହସ୍ତତନ୍ତପ୍ରେମୀ ଗ୍ରାହକଙ୍କୁ ସମ୍ବଦ୍ଧିତ କରାଯିବା ସହ ସେମାନଙ୍କ ସହଯୋଗ ପାଇଁ ସଂଗଠନର ଅନ୍ୟତମ ସହ-ପ୍ରତିଷ୍ଠାତା ଡ. ସୁଜାତା ଦାସ କୃତଜ୍ଞତା ଅର୍ପଣ କରିଥିଲେ । ଏଓଡବ୍ଲ୍ୟୁ ସହ ଯୋଡ଼ି ହୋଇ ଓଡ଼ିଶା ହସ୍ତତନ୍ତର ପ୍ରଚାରପ୍ରସାରରେ ବିଶେଷ ଭୂମିକା ନିର୍ବାହ କରିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀଙ୍କୁ କଳାହାଣ୍ଡିର ହବସପୁରୀ ଶାଢ଼ି ପ୍ରଦାନପୂର୍ବକ ସମ୍ବଦ୍ଧିତ କରାଯାଇଥିଲା । ଓଡ଼ିଶା ହସ୍ତତନ୍ତ ବୟନ କଳାର ଉତ୍କର୍ଷ ଏବଂ ଉପାଦେୟତା ସଂପର୍କରେ ପ୍ରିୟଦର୍ଶିନୀ ତାଙ୍କ ବକ୍ତବ୍ୟରେ ଆଲୋକପାତ କରିବା ସହ ଆଜିର ବ୍ୟସ୍ତବହୁଳ ଜୀବନରେ ଓଡ଼ିଶା ହସ୍ତତନ୍ତ ଉତ୍ପାଦ ପାଇବା ନିମନ୍ତେ ଏଓଡବ୍ଲ୍ୟୁ ୱେବ୍‌ସାଇଟ୍ ଏକ ଚମତ୍କାର ବିକଳ୍ପ ବୋଲି ଉଲ୍ଲେଖ କରିଥିଲେ ।

ଅତି ଅଳ୍ପ ସମୟ ମଧ୍ୟରେ ଏଓଡବ୍ଲ୍ୟୁ ନିଜର ଗ୍ରାହକ ମଞ୍ଚ ସୃଷ୍ଟି କରିପାରିଛି ଏବଂ ଏ ଯାବତ୍ ପର୍ଯ୍ୟାପ୍ତ ପରିମାଣର ସମ୍ବଲପୁରୀ ଇକତ୍ ପାଟ, ଖଣ୍ଡୁଆ, କୋଟପାଡ଼, ବ୍ରହ୍ମପୁର ପାଟ, ଗୋପାଳପୁର ଟସର ଏବଂ ପଟ୍ଟଚିତ୍ର ଶାଢ଼ି ଓ ଡ୍ରେସ୍ ମ୍ୟାଟେରିଆଲ୍ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇ ସେମାନଙ୍କ ଆସ୍ଥାଭାଜନ ହୋଇପାରିଛି । ଏହି ଅବସରରେ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଟସର ଓ କୋଟପାଡ଼ ବ୍ଲେଜର୍ , ଜ୍ୟାକେଟ୍, ବିଚିତ୍ରାପୁରୀ ପାଟର ଲଙ୍ଗ୍ ଜ୍ୟାକେଟ୍ ପ୍ରଦର୍ଶିତ ହୋଇଥିଲା । ଏହି ସବୁ ସାମଗ୍ରୀକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ନିମନ୍ତେ କମ୍ପାନୀ ପକ୍ଷରୁ ନିଜସ୍ଵ ଡିଜାଇନର୍‌ଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଏ ଓଡବ୍ଲ୍ୟୁ ଚଳିତ ବର୍ଷ ଯୁବପିଢ଼ିଙ୍କ ଆଗ୍ରହକୁ ଦୃଷ୍ଟିରେ ରଖୁ ନୂଆ ଫ୍ୟାସନ୍ ଉପରେ ବି ଗୁରୁତ୍ଵ ଦେଇଛି । ପାରମ୍ପରିକ ଫ୍ୟାବ୍ରିକ୍ ଓ ଆଧୁନିକ ଡିଜାଇନ୍‌ର ମିଶ୍ରଣରେ କିଛି ଆକର୍ଷଣୀୟ ପୋଷାକର ଅନ୍‌ଲାଇନ୍ ଉପଲବ୍ଧତା ପାଇଁ ପଦକ୍ଷେପ ନେଇଛି ।

ୱେବ୍‌ସାଇଟ୍‌ରେ ଗୋପାଳପୁର ଟସର୍ ଓ କୋଟପାଡ କପାସ୍‌ରେ ମହିଳା ବ୍ଲେଜର୍ ତଥା ହାଲୁକା ସୌଖୀନ ଜ୍ୟାକେଟ ଏକ ଶକ୍ତିଶାଳୀ ଫ୍ୟୁଜନ୍ ରୁପେ ଦେଖାଇଥିବା ପୋଷାକ ଯୁବ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ବେଶ୍ ପସନ୍ଦଯୋଗ୍ୟ ହୋଇପାରିଛି । ସେହିପରି ସମ୍ବଲପୁରୀ ପାଟ କପଡ଼ାରେ ଇକତ କାମ ହୋଇଥୁବା ଲମ୍ବା ଜାକେଟ୍ ପାରମ୍ପରିକ ଶିଳ୍ପକୁ ଆଧୁନିକ ମୂଲ୍ୟ ଦେଇ ପୁନଃସୃଷ୍ଟି କରାଯାଇଛି, ଯାହା ସବୁବର୍ଗର ମହିଳାମାନଙ୍କୁ ଆକର୍ଷଣୀୟ ଲୁକ୍ ଦେଇପାରିବ ।

ଆମେରିକାରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସମ୍ପର୍କରେ ଉଚ୍ଚତର ଶିକ୍ଷା ଲାଭ କରିଥିବା ଏଓଡବ୍ଲ୍ୟୁର ସଂସ୍ଥାପକ ଦିଶା ଦାସ କହିଛନ୍ତି: ଓଡ଼ିଶା ରେସମ ଓ ବୁଣାକାର ଶିଳ୍ପକୁ ବିଶ୍ଵମଞ୍ଚକୁ ନେବା ଆମର ଲକ୍ଷ୍ୟ । ଏହା ପାଇଁ ଆମେ ପ୍ରଯୁକ୍ତି ଓ ସ୍ଵଦେଶୀ କପଡ଼ା ଓ ନୂଆ ଭାବଧାରାରେ ନିର୍ମିତ ପୋଷାକକୁ ନେଇ ଆଗକୁ ବଢୁଛୁ । ଅଧିକ ସୂଚନା ପାଇଁ Arts of Weavingର ସୋସିଆଲ ମିଡିଆ ଓ ୱେବ୍‌ସାଇଟ୍‌ artsofweaving.com ସହିତ ଯୋଗାଯୋଗ କରିବାକୁ ସୁଶ୍ରୀ ଦାସ ସୂଚନା ଦେଇଛନ୍ତି ।