କନକ ବ୍ୟୁରୋ: ଏପ୍ରିଲରେ ଆରମ୍ଭ ହେଉଥିବା ଶିକ୍ଷାବର୍ଷରୁ ସାରାରାଜ୍ୟରେ ଲାଗୁ ହେବାକୁ ଯାଉଛି ଜାତୀୟ ଶିକ୍ଷା ନୀତି ବା ଏନଇପି। ଅର୍ଥାତ ୨୦୨୫-୨୬ ଶିକ୍ଷାବର୍ଷରେ ବାଲବାଟିକାରେ ନାମଲେଖା ପାଇଁ ୫ବର୍ଷ ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ୬ବର୍ଷ ବାଧ୍ୟତାମୂଳକ ହେବ । ତେବେ ଏଭଳି ବୟସ ସଂଶୋଧନକୁ ନେଇ ବିବାଦ ଦେଖାଦେଇଛି।

Advertisment
  • ଏପ୍ରିଲରୁ ଆରମ୍ଭ ହେଉଛି ଶିକ୍ଷାବର୍ଷ
  • ସେପ୍ଟେମ୍ୱର ୧ରୁ ଧରା ହେଉଛି ବୟସ
  • ଶିକ୍ଷାରମ୍ଭ ବୟସକୁ ନେଇ ବଢ଼ିଲା ଦ୍ୱନ୍ଦ୍ୱ 

ଏପ୍ରିଲ ୧ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଛି କିନ୍ତୁ ସେପ୍ଟେମ୍ୱର ୧କୁ କାହିଁକି ଗଣନା କରାଯାଉଛି? ବୋଲି ପ୍ରଶ୍ନ ଉଠାଇଛି ଓଡ଼ିଶା ଅଭିଭାବକ ମହାସଂଘ । ଅଭିଭାବକଙ୍କ ଯୁକ୍ତି ହେଲା, ପୂର୍ବରୁ ନିମ୍ନ ପ୍ରାଥମିକ ଶ୍ରେଣୀରେ ନାମଲେଖା ପାଇଁ ମାର୍ଚ୍ଚ ୩୧ ସୁଦ୍ଧା ୩ରୁ ୫ବର୍ଷ ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ୫ରୁ ୭ବର୍ଷ ବୟସ ଧାର୍ଯ୍ୟ କରାଯାଇଥିଲା। ପୂର୍ବ ନିୟମ ଅନୁସାରେ ଏଲ୍‌କେଜି, ୟୁକେଜି ପଢ଼ିସାରିଥିବା ପିଲା ଏବେ ବୟସ ହୋଇନଥିବା କାରଣରୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ ନାହିଁ । 

ସେପଟେ ଶିକ୍ଷାବିତ୍ କହିଛନ୍ତି, ସରକାରଙ୍କ ନିୟମକୁ ବୁଝିବାରେ ଭୁଲ କରିଛନ୍ତି ଅଭିଭାବକ। ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷ ହୋଇଥିବା ଆବଶ୍ୟକ ବୋଲି ଜାତୀୟ ଶିକ୍ଷା ନୀତିରେ କୁହାଯାଇଛି। ଅର୍ଥାତ ସେପ୍ଟେମ୍ୱର ୧ ସୁଦ୍ଧା ୬ବର୍ଷ ପୂରଣ କରିବାକୁ ଯାଉଥିବା ପିଲା ଏପ୍ରିଲରେ ଆରମ୍ଭ ହେଉଥିବା ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ।

ମୋଟାମୋଟି କହିବାକୁ ଗଲେ ଚଳିତ ଶିକ୍ଷାବର୍ଷରୁ ୬ବର୍ଷ ବୟସ ବାଧ୍ୟତାମୂଳକ କରିବା ଅଭିଭାବକ ମହଲରେ ଦ୍ୱନ୍ଦ୍ୱ ଓ ଅସନ୍ତୋଷ ସୃଷ୍ଟି କରିଛି। ତେଣୁ ସେମାନେ ବର୍ତ୍ତମାନ ଏଲ୍‌କେଜି ଓ ୟୁକେଜିରେ ପଢୁଥିବା ପିଲାଙ୍କ ପାଇଁ ଏହି ବୟସ କଟକଣା କୋହଳ କରିବାକୁ ଦାବି କରିଛନ୍ତି। ନଚେତ୍‌ ପ୍ରଥମଶ୍ରେଣୀରେ ନାମଲେଖା ପାଇଁ ସେମାନଙ୍କୁ ପୁଣି ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି।