କନକ ବ୍ୟୁରୋ : ବ୍ରହ୍ମା, ବିଷ୍ଣୁ, ମହେଶ୍ୱରର ମହତ ଶିଖାଇଲେ ମୁଖ୍ୟମନ୍ତ୍ରୀ । ସ୍ଲେଟ, ଖଡ଼ି ଧରାଇ ଛୋଟ ଛୋଟ ଶିଶୁଙ୍କୁ ପାଠ ପଢ଼ାଇଲେ ଗୁରୁଜୀ । ଭୁବନେଶ୍ୱରସ୍ଥିତ ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଆରମ୍ଭ ହୋଇଛି ରାଜ୍ୟବ୍ୟାପି ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ । ଶିଶୁ ବାଟିକାର ଶୁଭାରମ୍ଭ କରିଛନ୍ତି ମୋହନ ଚରଣ ମାଝୀ । ପିଲାଙ୍କ ସହ ବସିଲେ, କଥା ହେଲେ ପିଲାଙ୍କ ମନରୁ ଭୟ ଦୁରେଇ ସ୍କୁଲ ଆସିବା ପାଇଁ ଉତ୍ସହ ଭରିଲେ ମୁଖ୍ୟମନ୍ତ୍ରୀ । ଏଥିସହ ଆଜି ଆରମ୍ଭ ହୋଇଛି ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ । ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଭୁବନେଶ୍ୱରରେ ଗଡ଼ିଛି ୪ ଶିଶୁ ବାଟିକା କାର୍ଯ୍ୟକ୍ରମ ପାଇଁ ସଚେତନ ଗାଡ଼ି ।

Advertisment

ନବରଙ୍ଗପୁର ଜିଲ୍ଲା ସଦର ଏକ୍ସ ବୋର୍ଡ ସ୍କୁଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଛାତ୍ରଙ୍କୁ କୋଳରେ ବସାଇ ଖଡ଼ି ଛୁଆଇଁଛନ୍ତି । ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦ୍ରାପଡ଼ା ଓ କଟକ ସମେତ ସାରାରାଜ୍ୟରେ ସରକାରଙ୍କ ପକ୍ଷରୁ ଶିଶୁ ବାଟିକାର ଶୁଭାରମ୍ଭ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ଖଡ଼ି ଛୁଆଁଇ ପ୍ରବେଶ ଉତ୍ସବ ପାଳନ କରିଛନ୍ତି ରାଜ୍ୟ ସରକାର ।

ପୋଷଣ ଯୋଜନାରେ ପୂର୍ବରୁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା । ଏହାକୁ ଆଉ ପାଦେ ବଢ଼ାଇ ନେଇ ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ସିଏମ୍ ପୋଷଣ ଯୋଜନାରେ ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାମନଙ୍କୁ ମଧ୍ୟ ପୃଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦେବେ । ଏଥିପାଇଁ ୫୭୦ କୋଟି ୭୧ ଲକ୍ଷ ବ୍ୟୟରେ ପ୍ରାୟ ୧୦ ଲକ୍ଷ ୮୦ ହଜାର ଅତିରିକ୍ତ ଛାତ୍ରଛାତ୍ରୀ ଲାଭ ପାଇବେ । ପ୍ରତି ପିଲାଙ୍କୁ ସପ୍ତାହରେ ୩ଟି ଅଣ୍ଡା ଓ ପୃଷ୍ଟିସାର ଯୁକ୍ତ ୩ଟି ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟ ଉପଯୋଗୀ ଲଡୁ ମଧ୍ୟ ଯୋଗାଇ ଦିଆଯିବ । ଆଜି ବଡ଼ଗଡ଼ ସ୍କୁଲରେ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟାହ୍ନ ଭୋଜନ ପରଶି ଦେଇଛନ୍ତି ।

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ନୂତନ ଜାତୀୟ ଶିକ୍ଷାନୀତି ଆଉ ଏକ ସୋପାନ ଯୋଡିଛି । ଚାପ ମୁକ୍ତ, ଭୟ ମୁକ୍ତ ଓ ବସ୍ତାନୀ ବୋଝ ମୁକ୍ତ ହୋଇ ପିଲା କିଭଳି ନିଜର ପାରଦର୍ଶିତା ଦେଖାଇ ପାରିବେ ସେଥିପାଇଁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର ।

ଜାତୀୟ ଶିକ୍ଷାନୀତି-୨୦୨୦କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ମୁହାଁମୁହିଁ । ଏନ୍‌ଇପିକୁ ସମାଲୋଚନା କରିବା ପରେ ସୋନିଆଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ପୂର୍ବ ସରକାରକୁ ଟାର୍ଗେଟ କରି କହିଛନ୍ତି, ଦୁର୍ନୀତି ଓ ଶାସନର ଅଭାବ ଦେଶର ଶିକ୍ଷାଗତ ଅତୀତର ବୈଶିଷ୍ଟକୁ ପରିଭାଷିତ କରୁଥିଲା ।ଏନଇପି ଆଣିବ ଦେଶରେ ନବଜାଗରଣ । ଶିକ୍ଷାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ଜାତୀୟ ଶିକ୍ଷାନୀତି । ଆଗାମୀ ଦଶନ୍ଧିରେ ଶିକ୍ଷାକ୍ଷେତ୍ରରେ ଅନେକ ପରିବର୍ତ୍ତନ । ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଏନଇପି ସର୍ବୋତ୍କୃଷ୍ଟ ପ୍ରକ୍ରିୟା । ସାରାଦେଶରେ ଗୋଟିଏ ଶିକ୍ଷାନୀତି ଆଣିବ ବଡ଼ ପରିବର୍ତ୍ତନ । ୫ଟି ସ୍ତମ୍ଭକୁ ନେଇ ଏନଇପି-୨୦୨୦ । ଉପଲବ୍ଧତା, ସମାନତା, ଗୁଣବତ୍ତା, ସୁଲଭତ୍ତା ଏବଂ ଉତ୍ତରଦାୟିତ୍ୱ । ଏନଇପି କେବଳ ଏକ ଶିକ୍ଷା ସୁଧାର ନୁହେଁ, ବରଂ ଏହା ଏକ ବୌଦ୍ଧିକ ଉପନିବେଶବାଦରୁ ମୁକ୍ତି ।

ଜାତୀୟ ଖବରକାଗଜରେ ଏକ ସମ୍ପାଦକୀୟ ଜରିଆରେ ଏନଇପିକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ସୋନିଆ ଲେଖିଛନ୍ତି, ଏନଇପି ଜରିଆରେ 3C ଏଜେଣ୍ଡାକୁ ଦିଆଯାଉଛି ଗୁରୁତ୍ୱ । ସେଣ୍ଟ୍ରାଲାଇଜେସନ୍, କମର୍ସିଆଲାଇଜେସନ୍‌ ଓ କମ୍ୟୁନାଲିଜମ୍‌କୁ ଦିଆଯାଉଛି ପ୍ରୋତ୍ସାହନ । ଶିକ୍ଷାଢାଞ୍ଚାକୁ ଦୁର୍ବଳ କରୁଛି ଏନଇପି । ସରକାରୀ ସ୍କୁଲ ବଦଳରେ ବେସରକାରୀ ସ୍କୁଲକୁ ପ୍ରାଧାନ୍ୟ । ଶିକ୍ଷା ପ୍ରଣାଳୀ ଜରିଆରେ ସରକାର ଘୃଣା ବାଣ୍ଟୁଥିବା ସୋନିଆଙ୍କ ଅଭିଯୋଗ ।

ଏପଟେ ସଂସଦରେ ମଧ୍ୟ ଜାତୀୟ ଶିକ୍ଷାନୀତି ଉପରେ ହୋଇଥିବା ବିତର୍କ ଉପରେ ନିଜ ପକ୍ଷ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ସବୁ ରାଜ୍ୟରେ ଏନଇପି କାର୍ଯ୍ୟକାରୀ ହେବାକୁ ଯାଉଛି । ଜାତୀୟ ଶିକ୍ଷାନୀତିକୁ ନେଇ ଭାରତରେ ସରକାର, ସମାଜ ଓ ବିଶେଷକରି ନୂଆ ପିଢ଼ିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ସ୍କୁଲ ଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏହି ଜାତୀୟ ଶିକ୍ଷାନୀତିକୁ ନେଇ ପୂର୍ବରୁ ମଧ୍ୟ ବିରୋଧ କରିଆସିଛନ୍ତି ବିରୋଧୀ । ନିକଟରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଏବେ ସୋନିଆ ଗାନ୍ଧୀଙ୍କ ସମାଲୋଚନା ପରେ ପୁଣି ଜାତୀୟ ଶିକ୍ଷାନୀତିକୁ ନେଇ ଦେଖାଦେଇଛି ବିବାଦ ।