କନକବ୍ୟୁରୋ : ତାମିଲନାଡୁ ସରକାର ଓ ରାଜ୍ୟପାଳ ଆର.ଏନ. ରବିଙ୍କ ମଧ୍ୟରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି । ଆର.ଏନ. ରବି ବିଧାନସଭା ଅଧିବେଶନ ମଝିରୁ ଉଠି ଚାଲିଯାଇଛନ୍ତି । ତାମିଲ ରାଜ୍ୟ ସଙ୍ଗୀତ ପରେ ଜାତୀୟ ସଙ୍ଗୀତ ବଜାଇବାକୁ ସେ ଦାବି କରିଥିଲେ । ଏହି ଦାବିକୁ ବାଚସ୍ପତି ଆପାଭୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଫଳସ୍ୱରୂପ, ଆର.ଏନ. ରବି ଗୃହକୁ ସମ୍ବୋଧିତ ନକରି କାର୍ଯ୍ୟବଳୀ ବର୍ଜନ କରି ଗୃହତ୍ୟାଗ କରିଥିଲେ । ଏପରି କରି ତୃତୀୟ ଥର ପାଇଁ ରାଜ୍ୟପାଳ ଗୃହକୁ ବର୍ଜନ କରିଛନ୍ତି  ।  ପୂର୍ବରୁ ସେ ୨୦୨୪ ଓ ୨୦୨୫ରେ ଭାଷଣ ନଦେଇ ଅଧିବେଶନ ବର୍ଜନ କରିଥିଲେ । ତାମିଲନାଡୁ ଲୋକଭବନ ପରିସ୍ଥିତି ବିଷୟରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି।

Advertisment

ରାଜ୍ୟପାଳ କ’ଣ କହିଲେ? 
ଜାତୀୟ ସଙ୍ଗୀତକୁ ଉପଯୁକ୍ତ ସମ୍ମାନ ଦିଆଯାଉ ନଥିବାରୁ ମୁଁ ଗଭୀର ଦୁଃଖିତ । ଅଭିଭାଷଣ ବାଧାପ୍ରାପ୍ତ ହେବା ଦୁର୍ଭାଗ୍ୟଜନକ । ମୁଁ ମୋର ଦାୟିତ୍ୱ ବିଷୟରେ ଭଲଭାବରେ ଅବଗତ । କିନ୍ତୁ, ଜାତୀୟ ସଙ୍ଗୀତକୁ ଉପଯୁକ୍ତ ସମ୍ମାନ ଦିଆଯିବା ଉଚିତ ବୋଲି ରାଜ୍ୟପାଳ ଆର ଏନ ରବି ତାମିଲନାଡୁ ବିଧାନସଭାରେ କହିଛନ୍ତି ।

ଅଧିକ ପଢନ୍ତୁ... ନୀତିନ ନବୀନଙ୍କ ଚଲାପଥ ନୁହେଁ ସହଜ : ସମ୍ମୁଖରେ ବହୁ ଆହ୍ବାନ ଆଉ ଅଗ୍ନିପରୀକ୍ଷା

ବାଚସ୍ପତି ଦେଲେ ସ୍ପଷ୍ଟୀକରଣ 
ରାଜ୍ୟପାଳଙ୍କ ଅଭିଯୋଗର ଜବାବରେ ତାମିଲନାଡୁ ବାଚସ୍ପତି ଆପାଭୁ କହିଛନ୍ତି, ବିଧାନସଭାରେ କେବଳ ବିଧାୟକମାନେ ସେମାନଙ୍କର ମତାମତ ଦେଇପାରିବେ । ଅନ୍ୟ କେହି ସେମାନଙ୍କର ମତାମତ ଜୋର ଜବରଦସ୍ତ ଲଦି ପାରିବେ ନାହିଁ । ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ସରକାର ପ୍ରସ୍ତୁତି କରିଥିଲେ ।
ମୋ ମାଇକ୍ରୋଫୋନ୍ ବନ୍ଦ କରିଦିଆଯାଇଥିଲା
ରାଜ୍ୟପାଳ ଆର ଏନ ରବି କହିଛନ୍ତି, ମୋ ମାଇକ୍ରୋଫୋନ ବନ୍ଦ କରିଦିଆଯାଇଥିଲା ଓ ମୋତେ କହିବାକୁ ଦିଆଯାଇନଥିଲା । ଏହା ଯୋଗୁ ମୁଁ ଅପମାନିତ ଅନୁଭବ କରିଥିଲି।
କ’ଣ କହିଲେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ?
ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି, ରାଜ୍ୟପାଳଙ୍କ କାର୍ଯ୍ୟ ସଦନର ୧୦୦ ବର୍ଷର ପୁରୁଣା ପରମ୍ପରାକୁ ଅସମ୍ମାନ ଓ ଅପମାନିତ କରିଛି ।  ଡିଏମକେ ପ୍ରତିଷ୍ଠାତା ସିଏନ ଆନ୍ନାଦୁରାଇ ଦେଇଥିବା ମନ୍ତବ୍ୟ ‘ ଛେଳି ଦାଢ଼ି କାହିଁକି ଆବଶ୍ୟକ କରେ, ରାଜ୍ୟ ପାଇଁ କାହିଁକି ରାଜ୍ୟପାଳ ଆବଶ୍ୟକ  ? ’କୁ ଷ୍ଟାଲିନ ଦୋହରାଇଛନ୍ତି। ରାଜ୍ୟ ପ୍ରଶାସନ କୌଣସି ପ୍ରକାରେ ରାଜ୍ୟପାଳ କିମ୍ବା ତାଙ୍କ କାର୍ଯ୍ୟାଳୟକୁ ଅସମ୍ମାନ କରିନାହିଁ । ରାଜ୍ୟପାଳ ହିଁ ତାମିଲ ଲୋକଙ୍କୁ ସମ୍ମାନ କରିବାରେ ବିଫଳ ହୋଇଛନ୍ତି ବୋଲି ଷ୍ଟାଲିନ ଅଭିଯୋଗ କରିଛନ୍ତି ।