କନକ ବ୍ୟୁରୋ : ପ୍ରଦୂଷଣ ରୋକିବାକୁ ଚନ୍ଦ୍ର କିଶୋରଙ୍କ ଲଢେଇ । ନଦୀରେ ବର୍ଯ୍ୟ ବସ୍ତୁ ପକାଇଲେ ବାଜୁଛି ହ୍ୱିସିଲ୍ । ଏକାକୀ ୧୭ ଘଣ୍ଟା ବ୍ରିଜ୍ ଉପରେ ଠିଆ ହୋଇ ଦେଉଛନ୍ତି ପହରା । ନାସିକରେ ଏବେ ଚନ୍ଦ୍ର କିଶୋରଙ୍କୁ ମିଳୁଛି ବାହା ବାହା । ନଦୀକୁ ବର୍ଯ୍ୟମୁକ୍ତ କରିବାକୁ ଆରମ୍ଭ କରିଛନ୍ତି ଅଭିଯାନ ।
ନାସିକର ଜନୈକ ବ୍ୟକ୍ତି ଚନ୍ଦ୍ର କିଶୋର ପାଟିଲ । ନଦୀକୁ ବର୍ଯ୍ୟମୁକ୍ତ କରିବାକୁ ସେ ଆରମ୍ଭ କରିଛନ୍ତି ଏକ ନିଆରା ଲଢେଇ । ଏହି ଲଢେଇ ସେ ଏକାକୀ ଲଢିବାକୁ ସ୍ଥିର କରିଛନ୍ତି । ପ୍ରତିଦିନ ନାସିକ ସ୍ଥିତ ଗୋଦାବରୀ ବ୍ରିଜ୍ ଉପରେ ଠିଆ ହୋଇ ଲୋକଙ୍କୁ ନଦୀକୁ ବର୍ଯ୍ୟ ବସ୍ତୁ ପକାଇବାରୁ ରୋକନ୍ତି । ସକାଳ ହେବାମାତ୍ରେ ଏକ ହ୍ୱିôସିଲ ନେଇ ବାହାରି ଯାଆନ୍ତି ଚନ୍ଦ୍ର କିଶୋର । କେହି ନଦୀ ପାଖକୁ ବର୍ଯ୍ୟ ବସ୍ତୁ ନେଇ ଆସିଲେ ସଙ୍ଗେ ସଙ୍ଗେ ହ୍ୱିସଲ ମାରି ଘଉଡାଇ ଥାଆନ୍ତି ।
- ଆବର୍ଜନା ପକାଇବାକୁ ଲୋକଙ୍କୁ ମନା କରୁଛନ୍ତି
- ମନ୍ କି ବାତରେ ମୋଦୀ ବି ପ୍ରଶଂସା କରିଛନ୍ତି
ସକାଳ ୬ଟାରୁ ରାତି ୧୧ଟା ଯାଏଁ ଚନ୍ଦ୍ରଶେଖର ଏହି କାର୍ଯ୍ୟରେ ହିଁ ନିଜକୁ ନିୟୋଜିତ କରି ରଖନ୍ତି । ଅର୍ଥାତ ସେ ପ୍ରତିଦିନ ପ୍ରଦୂଷଣମୁକ୍ତ ଲଢେଇ ପାଇଁ ୧୭ ଘଣ୍ଟା ପରିଶ୍ରମ କରନ୍ତି । ଅଧିକାଂଶ ଲୋକ ଘରୁ ବାହାରୁଥିବା ବର୍ଯ୍ୟବସ୍ତୁକୁ ନଦୀ କିମ୍ବା ପାଖରେ ଥିବ ଛୋଟଛୋଟ ନାଳରେ ଫୋପାଡି ଦିଅନ୍ତି । ବିଶେଷ କରି ପୂଜାପର୍ବ ସମୟରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ ।
ଏହାଦ୍ୱାରା ଜୀବଜଗତ ଉପରେ ପ୍ରଭାବ ପଡିଥାଏ । ଏହାକୁ ଭଲ ଭାବରେ ବୁଝିଛନ୍ତି ଚନ୍ଦ୍ରକିଶୋର ପାଟିଲ । ତେଣୁ ଏହା ବିରୁଦ୍ଧରେ ଏକାକୀ ଆରମ୍ଭ କରିଥିଲେ ଅଭିଯାନ । ଶ୍ୱେତା ବୋଦୁ ନାମକ ଜଣେ ଆଇଏଫ୍ଏସ ଅଧିକାରୀଙ୍କ ଏକ ଟ୍ୱିଟ୍ ପରେ ଏହି ଖବର ପଦାକୁ ଆସିିଥିଲା । ସୋସିଆଲ ମିଡିଆରେ ଖବର ଭାଇରାଲ ହେବାପରେ ଖୋଦ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମନ୍ କି ବାତ କାର୍ଯ୍ୟକ୍ରମରେ ତାଙ୍କ ପ୍ରଶଂସା କରିଛନ୍ତି ।
ଚନ୍ଦ୍ର କିଶୋରଙ୍କ ଏହି ପ୍ରୟାସ ଲୋକଙ୍କୁ ଜାଗୃତ କରିବା ସହ ପ୍ରେରଣା ଦେଉଛି । ଲୋକେ ଆଣିଥିବା ବର୍ଯ୍ୟବସ୍ତୁକୁ ସଂଗ୍ରହ କରି ତାହାକୁ ଡମ୍ପିଂୟାର୍ଡକୁ ନେଇ ଫୋପାଡନ୍ତି ଚନ୍ଦ୍ର କିଶୋର.. ଏକ ସାକ୍ଷାତକାରରେ ଚନ୍ଦ୍ରକିଶୋର କହିଛନ୍ତି ମୁଁ ଏହି କାର୍ଯ୍ୟ ୫ ବର୍ଷ ହେଲା କରି ଆସୁଛି । ଏବେ ଅଭ୍ୟାସରେ ପରିଣତ ହେଇଗଲାଣି । ବଳ ଥିବା ଯାଏଁ ଏହି ଲଢେଇ ଜାରି ରଖିବି ।