କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ଦିନକୁ ଦିନ ନୂଆ ନୂଆ ଚାଞ୍ଚଲ୍ୟକର ଖୁଲାସା ହେଉଛି । ନବ ଦାସଙ୍କୁ କିଏ ମାରିଲା? ଷଡ଼ଯନ୍ତ୍ର ହୋଇଛି କି? ଏନେଇ ରାଜ୍ୟ ରାଜନୀତିରେ ନିଆଁ ଲାଗିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଦେଇଛନ୍ତି ବିସ୍ଫୋରକ ବୟାନ । ନରସିଂହ କହିଛନ୍ତି, ମୋତେ ଲାଗୁଛି ନବ ଦାସଙ୍କ ହତ୍ୟା ପଛରେ ବହୁତ ନେତା ସମ୍ପୃକ୍ତ ଅଛନ୍ତି । ପ୍ରମାଣ ମାଗିଲେ ଯୋଗାଡ଼ କରିବା ସମ୍ଭବ ହୋଇନପାରେ କିନ୍ତୁ କିଛି ବିଜେଡି ଦଳର ନେତା ନବ ଦାସଙ୍କ ହତ୍ୟା ପଛରେ ଅଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ । ବ୍ୟବସାୟିକ କାରଣ ଯୋଗୁଁ ନବ ଦାସଙ୍କୁ ହତ୍ୟା କରାଯାଇଛି । ନବ ଦାସଙ୍କ ମୃତ୍ୟୁ ପରେ ବିଜେଡିରେ ମାଡ଼ଗୋଳ ଲାଗିଛନ୍ତି ବୋଲି ପୋଲିସ ରିପୋର୍ଟ ହୋଇଛି । ସମ୍ବଲପୁର ଆଇଜି ଅଫିସକୁ କାହିଁକି ବିଜେଡି ନେତାଙ୍କୁ ଡକାଯାଇଥିଲା? ସେମାନଙ୍କୁ ଜଣେ ବିଜେଡି ନେତା ବୁଝାମଣା କରି ଆଇଜି ଅଫିସରୁ ଆଣିଥିଲେ ବୋଲି ନରସିଂହ କହିଛନ୍ତି ।

Advertisment

ଏପରିକି ପୂର୍ବ ବିଜେଡି ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ନରସିଂହ ମିଶ୍ର । କାହିଁକି ତତ୍କାଳୀନ ସରକାର ନବ ଦାସଙ୍କ ହତ୍ୟା ଘଟଣାକୁ ସିବିଆଇ ପରିବର୍ତ୍ତେ ଆମେରିକାର ଏକ ଏଜେନ୍ସିକୁ ତଦନ୍ତ କରିବାକୁ କହୁଥିଲେ? ଯାହାକି ପୂର୍ବ ସରକାର ସୁପାରିଶ ହିଁ କରିନଥିବା ସଂସଦର ଉତ୍ତର ରଖିଛନ୍ତି । ତା’ହେଲେ ଏ ହତ୍ୟା ଘଟଣା ନେଇ ଲୋକଙ୍କୁ ଏତେ କନଫ୍ୟୁଜ କାହିଁକି କରୁଥିଲେ ବୋଲି ବଡ଼ ପ୍ରଶ୍ନ ଉଠାଇଛନ୍ତି ନରସିଂହ । ଯେଉଁ ବୁଲେଟ୍ ଫାୟରିଂ ହୋଇଥିଲା ସେହି ବୁଲେଟ୍ କୁଆଡେ ଗଲା? ରକ୍ତଭିଜା ସାର୍ଟଟି କୁଆଡେ ଗଲା ? ଏସବୁ ଯଦି ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ଦୃଷ୍ଟିଗୋଚର ହୁଏ ତେବେ ଏହାକୁ ନ୍ୟାୟାଳୟ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବେ ନିଶ୍ଚିତ  ।

କେତେବେଳେ ଦୀପାଳି ଦାସ ବାପାଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ହଲଚଲ କରୁଛି ତ ପୁଣି କେତେବେଳେ ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲଙ୍କ ବୟାନ ବିଭିନ୍ନ ମହଲରେ ତୁମ୍ଭି ତୋଫାନ ଆଣିଛି । ରାଜନେତାଙ୍କ ବୟାନ, ତଦନ୍ତକାରୀ ସଂସ୍ଥାର ରିପୋର୍ଟ ଏବଂ ପ୍ରକୃତ ହତ୍ୟାକାରୀ କିଏ? ଏସବୁ ଏବେବି ଏକ ରହସ୍ୟ ହୋଇ ରହିଛି ।