29cuttack Photograph: (29cuttack)
କନକ ବ୍ୟୁରୋ : ଜୀବନରେ ଶିକ୍ଷାର ଆଲୋକ ପାଇଁ କୁନି ଝିଅର ଆକୁଳ ନିବେଦନ। ଏ ହେଉଛି କଟକ ନରସିଂହପୁର ବ୍ଳକ ଅଧିନ ଦଲକ ଗାଁ। ଗାଁରେ ସ୍କୁଲ ତ ଦୂରର କଥା ଅଙ୍ଗନବାଡ଼ି କେନ୍ଦ୍ରଟିଏ ବି ନାହିଁ। ଗାଁଠୁ ୬ କିଲୋମିଟର ଦୂରରେ ରହିଛି ଦେବଭୂମି ବିଦ୍ୟାଳୟ। ଜଙ୍ଗଲ ରାସ୍ତା ଦେଇ ସେଠାକୁ ଯିବା ସମ୍ଭବ ନୁହେଁ, ତେଣୁ ଦଲକ ଗାଁରେ କୁନିକୁନି ପିଲା ପାଠ ଠାରୁ ଦୂରେଇ ରହିବା ପାଇଁ ବାଧ୍ୟ ହୁଅନ୍ତି।
ଖାଲି ଶିକ୍ଷା ନୁହେଁ ଅନେକ ମୌଳିକ ସୁବିଧା ଏଠି ଅପହଞ୍ଚ। ରାସ୍ତା ନାହିଁ, ବିଜୁଳି ସଂଯୋଗ ହୋଇପାରିନାହିଁ। ନେଟଓ୍ପାର୍କ ପାଇଁ ଗାଁ ବାହାରେ ବାଉଁଶ ଷ୍ଟାଣ୍ଡରେ ମୋବାଇଲ ରଖି ଅପେକ୍ଷା କରିବାକୁ ପଡୁଛି। କିଛି ବର୍ଷ ତଳେ ବ୍ଲକ ପକ୍ଷରୁ ସୋଲାର ଲାଇଟ୍ ଯୋଗାଇ ଦିଆଯାଇଥିଲା। ତାହା ଏବେ ଅକାମୀ। ଅଚଳ ଲାଇଟ୍ର ମରାମତି ପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି। କିନ୍ତୁ ଜଙ୍ଗଲ ଘେରା ଗ୍ରାମବାସୀଙ୍କ ଦୁଃଖ ଶୁଣିବା ପାଇଁ ସତେ ଯେମିତି କାହା ପାଖରେ ସମୟ ନାହିଁ।
ଦଲକ ଗାଁରେ ପ୍ରାୟ ୩୦ଟି ପରିବାର ବସବାସ କରନ୍ତି। ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ୫ କିଲୋମିଟର ଜଙ୍ଗଲ ଦେଇ ଯିବାକୁ ପଡ଼ୁଛି। କାରଣ ଜଙ୍ଗଲ ଜମି ପାଇଁ ପକ୍କା ରାସ୍ତା ହୋଇପାରୁନି ବୋଲି କୁହାଯାଇଛି।
Follow Us