ତେଜିଲା ଯାତ୍ରା ବିବାଦ ; ତୁଳସୀ ଗଣନାଟ୍ୟ ମାଲିକଙ୍କ ବିରୋଧରେ ଏତଲା ଦେଲେ ନରି ପଣ୍ଡା

ପୁଣି ତେଜିଲା ଯାତ୍ରା ବିବାଦ । ବାସନ୍ଦ ପରେ ତୁଳସୀ ଗଣନାଟ୍ୟ ମାଲିକଙ୍କ ବିରୋଧରେ ଏତଲା ଦେଲେ ନରି ପଣ୍ଡା । ପତ୍ନୀକୁ ଫୋନରେ ଦୁର୍ବ୍ୟବହାର, ଘରକୁ ଡକାଇ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ। କହିଲେ ଶୀଘ୍ର ନେବେ ପରବର୍ତ୍ତୀ ନିଷ୍ପତ୍ତି ।

ନରି ପଣ୍ଡା

ନରି ପଣ୍ଡା Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ପୁଣି ତେଜିଲା ଯାତ୍ରା କଳାକାର ଓ ମାଲିକ ବିବାଦ । ଦୁଇ ଦିନ ତଳେ ଯାତ୍ରା ମାଲିକମାନେ ଏକ ହୋଇ ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ବୟକଟ କରିଥିଲେ । ଏନେଇ ଅଭିନେତା ନରି ପଣ୍ଡା ଗତକାଲି ବାଲିଚନ୍ଦ୍ରପୁର ଥାନାରେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ବିବାଦ ଅଧିକ ଘନୀଭୂତ ହୋଇଛି । ତୁଳସୀ ଗଣନାଟ୍ୟ ମାଲିକ ଗତ ମାର୍ଚ୍ଚ ୨୮ ତାରିଖରେ ଡକାଇ ମାଡ଼ ମାରିଥିଲେ ବୋଲି ଗଣମାଧ୍ୟମରେ ଅଭିଯୋଗ କରିବା ପରେ ଅନଲାଇନରେ ଏତଲା ଦେଇଛନ୍ତି । ଯାତ୍ରା ମାଲିକ ତାଙ୍କୁ ମାଡ ମାରିବା ସହ ତାଙ୍କ ପତ୍ନୀଙ୍କୁ ଫୋନରେ ଖରାପ ବ୍ୟବହାର କରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ନରି ପଣ୍ଡା । ପୋଲିସ ତାଙ୍କୁ ନ୍ୟାୟ ଦେବ ବୋଲି ଆଶା ପ୍ରକାଶ କରିଛନ୍ତି । ଏଥିସହ ଯାତ୍ରା ମାଲିକମାନେ କୌଣସି ନିଷ୍ପତି ନେବା ପୂର୍ବରୁ ପୁର୍ନବିଚାର କରିବାର ଥିଲା, ତାଙ୍କ ସହ ଆଲୋଚନା କରିବାର ଥିଲା । କଳାକାର ସଂଘ ତାଙ୍କ ସହ ଅଛି ଓ ଆଗାମୀ ଦିନରେ କଳାକାର ସଂଘ ଯାହା ନିଷ୍ପତ୍ତି ନେବ ତାକୁ ନେଇ ସେ ଆଗକୁ ଯିବେ ବୋଲି ନରି ପଣ୍ଡା କହିଛନ୍ତି । ତାଙ୍କ ପାଇଁ ଯାତ୍ରାପାର୍ଟି ରାଜନନ୍ଦୀନିର ଦ୍ୱାର ଖୋଲା ଅଛି । ଖୁବ୍ ଶୀଘ୍ର ତାଙ୍କ ଆଗାମୀ ନିଷ୍ପତ୍ତି ଜଣାଇବେ ବୋଲି କହିଛନ୍ତି ନରିପଣ୍ଡା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe