କନକ ବ୍ୟୁରୋ : ବ୍ରେନଷ୍ଟ୍ରୋକରେ ଆରପାରିକୁ ଚାଲିଗଲେ ୩୧ ବର୍ଷିୟ ଯୁବକ କେ. ନରେଶ ପଟ୍ଟନାୟକ । ବାପାଙ୍କ ମୃତ୍ୟୁର ମାତ୍ର କେଇଟା ମାସ ମଧ୍ୟରେ ଘରର ଏକମାତ୍ର ପୁଅକୁ ହରାଇଲେ ମାଆ । ଭଉଣୀ ହରାଇଛି ତା ସୁରକ୍ଷା କବଚ ।  ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ମାଆ, ଭଙ୍ଗା ମନରେ ନେଇଛନ୍ତି ଏକ ବଡ଼ ନିଷ୍ପତି । ପୁଅର ଅଙ୍ଗ ଦାନ କରି ପୁଅକୁ ସବୁଦିନ ପାଇଁ ଅମର କରିଦେଇଛନ୍ତି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ଦେଖିବା ଏହି ଖବର ।

Advertisment

ପୁଅରୁ ହରାଇ ଜଣେ ମାଆ ଗର୍ବ କରିବ ନା ଦୁଃଖ କରିବ, କିଛି ବୁଝି ପାରୁନି। ଖାଲି ଯାହା ଆଖିରୁ ଲୁହ ଝରୁଛି । ପୁଅକୁ ହରେଇବାର ଦୁଃଖ ଓ ପୁଅ ଅଙ୍ଗଦାନ କରିବାର ଖୁସି ଯେମିତି ଜୀବନରେ ଫେଣ୍ଟାଫେଣ୍ଟି ହୋଇଯାଇଛି । ସୁଖ-ଦୁଃଖ ଭରା ଜୀବନରେ ସ୍ୱାମୀଙ୍କୁ ହରାଇବାର ମାସ କେଇଟା ପରେ ୩୧ ବର୍ଷିୟ ପୁଅକୁ ହରାଇଛନ୍ତି । ତଥାପି ଧର୍ଯ୍ୟର ଅସୀମ ଗନ୍ତାଘର ଜଣେ ମାଆ । ଭଙ୍ଗା ମନରେ ନେଇଛନ୍ତି ବଡ଼ ନିଷ୍ପତି । ବ୍ରେନ୍ ଷ୍ଟ୍ରୋକରେ ପୁଅର ମୃତ୍ୟୁ ପରେ ତାର ଅଙ୍ଗଦାନ କରିଛନ୍ତି ଗଜପତି ପାରଳାଖେମୁଣ୍ଡିର କେ. ଉଷାରାଣୀ । 

ମାଆ କେବେହେଲେ ତା ଆଗରେ ପିଲାର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରେନି । ଛୁଆ ତା' ଜୀବନର ସର୍ବସ୍ବ । ହେଲେ ଯୁବାବସ୍ଥାରେ ପୁଅର ମୃତ୍ୟୁ ହେଲେ ତାକୁ କିଭଳି ଅମର କରିଦେବ ତାହା ବି ଜଣେ ମାଆର ପ୍ରଥମ ଦାୟିତ୍ବ । ସେଭଳି ଜଣେ ହୃଦୟବାନ୍ ମହିଳା ହେଉଛନ୍ତି ମୃତ ଯୁବକ କେ.ନରେଶଙ୍କ ମାଆ କେ. ଉଷାରାଣୀ । ତେଲିଗୌଡ ସାହିର ନରେଶ ଗତ ୯ତାରିଖରେ ହଠାତ୍ ବ୍ରେନ୍ ଷ୍ଟ୍ରୋକରେ ଅଚେତ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ଆନ୍ଧ୍ରପ୍ରଦେଶ ବିଶାଖପାଟଣାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ ଗୁରୁବାର ଦିନ ନରେଶଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ସଂପୂର୍ଣ୍ଣ ଭାଙ୍ଗିପଡିଥିଲେ କେ. ଉଷାରାଣୀ । ପୁଅକୁ ଅମର କରିବା ପାଇଁ ନେଇଥିଲେ ଅଙ୍ଗଦାନ ନିଷ୍ପତି । ତୁରନ୍ତ ପୁଅର ଆଖି, ହାର୍ଟ, ଲିଭର କାଢି ନେଇ ଅନ୍ୟ ରୋଗୀଙ୍କ ଜୀବନରେ ଆଲୋକ ଭରିଦେବାକୁ ଦେଇଥିଲେ ପରାମର୍ଶ । 

ନରେଶଙ୍କ ମୃତ୍ୟୁକୁ ନେଇ ସାରା ପାରଳାଖେମୁଣ୍ଡି ସହର ଯେତିକି ଦୁଃଖିତ ତାଙ୍କ ଅଙ୍ଗଦାନକୁ ନେଇ ସେତେକି ଗର୍ବିତ । ତେଣୁ ତାଙ୍କ ଶବାଧାରରେ ହଜାର ହଜାର ଲୋକ ସାମିଲ ହୋଇ ଶେଷ ବିଦାୟ ଜଣାଇଛନ୍ତି । ଗଜପତି ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । କେବଳ ଗଜପତି ପୁଲିସ ନୁହେଁ, ଆନ୍ଧ୍ର ପୁଲିସ ମଧ୍ୟ ବିଶାଖପାଟଣା ଠାରେ ଗାର୍ଡ ଅଫ ଅନର ପ୍ରଦାନ କରିଛି ।