କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ଯେତେଯେତେ ପାଖୋଉଛି, ରାଜନୀତିର ପାରା ମଧ୍ୟ ସେତେସେତେ ବଢ଼ିବାରେ ଲାଗିଛି । ରାଜନୈତିକ ଦଳମାନେ ପରସ୍ପରକୁ ଶବ୍ଦର ତୀରରେ ଆକ୍ରମଣ କରୁଥିବାବେଳେ, ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଆଉ ଏହାରି ଭିତରେ ଆରଜେଡି ମୁଖିଆ ଲାଲୁ ଯାଦବ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କରିଛନ୍ତି ଟାର୍ଗେଟ୍ । ଟୁଇଟ୍ କରି ଲାଲୁ କହିଛନ୍ତି, ବିହାରରେ ଗୁଜରାଟ ମଡେଲ୍ କାମ କରିବନି ।

Advertisment

ଲାଲୁ ଯାଦବ କହିଛନ୍ତି, ମୋଦୀଙ୍କୁ ଭିକ୍ଟ୍ରି (ବିଜୟ) ଦରକାର ବିହାରରୁ, ଫ୍ୟାକ୍ଟ୍ରି (କାରଖାନା) ଦେବେ ଗୁଜରାଟକୁ । ଏ ଗୁଜରାଟର ଫର୍ମୁଲା କାମ ଦେବନି । ତେବେ ଲାଲୁ ଏବେ ଲଗାତାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଖରାପ ଶବ୍ଦ କହିବା ବିରୋଧରେ ବିଜେପିର ବିହାର ବନ୍ଦ କାର୍ଯ୍ୟକ୍ରମକୁ ମଧ୍ୟ ଲାଲୁ ଟାର୍ଗେଟ୍ କରିଥିଲେ ।

ଆରଜେଡି ମୁଖ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ କ’ଣ ବିଜେପି ସଦସ୍ୟମାନଙ୍କୁ ପୂରା ବିହାର ଏବଂ ବିହାରୀଙ୍କ ମା’, ଭଉଣୀ ଏବଂ ଝିଅମାନଙ୍କୁ ଦୁର୍ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି? ଗୁଜରାଟୀମାନେ ବିହାରୀଙ୍କୁ ଏତେ ହାଲୁକା ଭାବରେ ନେବା ଉଚିତ୍ ନୁହେଁ । ଏ ହେଉଛି ବିହାର, ବିଜେପିର ଗୁଣ୍ଡାମାନେ ଶିକ୍ଷକ, ରାସ୍ତାରେ ଯାଉଥିବା ମହିଳା, ଛାତ୍ରୀ, ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି ଏବଂ ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି, ସେମାନଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି? ଏହା କ’ଣ ଠିକ୍?

ଜାଣିରଖିବା ଉଚିତ୍ ଯେ, ସେପ୍ଟେମ୍ବର ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାଆଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ବିଷୟରେ କହିଥିଲେ । ମୋଦୀ କହିଥିଲେ, 'କିଛି ଦିନ ତଳେ ବିହାରରେ ଯାହା ଘଟିଥିଲା ମୁଁ କଳ୍ପନା ମଧ୍ୟ କରି ନଥିଲି । ବିହାରରେ ଆରଜେଡି-କଂଗ୍ରେସର ମଞ୍ଚରୁ ମୋ ମାଆଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ଏହି ଦୁର୍ବ୍ୟବହାର କେବଳ ମୋ ମାଆଙ୍କ ପ୍ରତି ଅପମାନ ନୁହେଁ। ଏଗୁଡ଼ିକ ଦେଶର ମା', ଭଉଣୀ ଏବଂ ଝିଅଙ୍କ ପ୍ରତି ଅପମାନ । ମୁଁ ଜାଣେ ଏହା ଦେଖି ଏବଂ ଶୁଣି ତୁମେ ସମସ୍ତେ କେତେ ଖରାପ ଅନୁଭବ କରିଛ । ମୁଁ ଜାଣେ ଯେ ବିହାରର ଲୋକମାନେ ଏଥିରେ ମୋ ପରି କଷ୍ଟ ଅନୁଭବ କରୁଛନ୍ତି। '

ତେବେ ମୋଦୀ ଏପରି କହିବା ପରେ ଲାଲୁ ଯାଦବ ମଧ୍ୟ ତାଙ୍କୁ ଟାର୍ଗେଟ୍ କରିଥିଲେ । ଆଉ ଏବେ ଗୁଜରାଟ ମଡେଲର କଥା କହି ପୁଣିଥରେ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବ ।