କନକ ବ୍ୟୁରୋ:  ଦିନଥିଲା ହାତରେ ବନ୍ଧୁକ ଧରି ଶତ୍ରୁଙ୍କଠାରୁ ଦେଶର ସୀମାକୁ ସୁରକ୍ଷା ଦେଉଥିଲେ । ସୈନ୍ୟବାହିନୀରୁ ଅବସର ପରେ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଅଞ୍ଚଳବାସୀ ତାଙ୍କୁ ରିୟଲ ହିରୋର ଆଖ୍ୟା ଦେଇଛନ୍ତି । ଅନୁଗୋଳ ବ୍ଲକ ଶଙ୍ଖପୁର ଗାଁର ନରେନ୍ଦ୍ର ଦେହୁରି ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି  । 

Advertisment

ଜୀବନର ମୂଳମନ୍ତ୍ର ପାଲଟିଛି ସେବା
ଦିନେ ଦେଶ ସେବା କରୁଥିଲେ 
ଏବେ କରୁଛନ୍ତି ମାନବ ସେବା

ଦିନେ ଦେଶ ପାଇଁ ଲଢେଇ କରୁଥିଲେ । ଅବସର ପରେ ବି ଲୋକଙ୍କ ସେବାରେ ନିଜକୁ ହଜାଇଦେଇଛନ୍ତି ଅନୁଗୁଳ ଶଙ୍ଖପୁର ଗାଁର ନରେନ୍ଦ୍ର କୁମାର ଦେହୁରୀ । ୧୯୯୫ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ମଣିପୁର, ପଞ୍ଜାବ, ରାଜସ୍ଥାନ ସୀମାରେ ୨୪ ବର୍ଷ ଦେଶ ସେବାରେ ନିୟୋଜିତ ହେବା ପରେ ୨୦୧୯ରେ ହାବିଲଦାର ପଦରୁ ଅବସର ନେଇଛନ୍ତି । ଏହା ପରଠୁ ସେ ଲୋକଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା କରି ଆସୁଛନ୍ତି ।

 ବିପଦ ସମୟରେ ଅଞ୍ଚଳବାସୀଙ୍କୁ ସାହାଯ୍ୟ କରିବାର ମନୋବୃତ୍ତି ପାଇଁ ସେ ସମସ୍ତଙ୍କ ପାଖରେ ଅତି ଆପଣାର ଭାବେ ପରିଚିତ ହୋଇପାରିଛନ୍ତି । ଗରିବ ଲୋକମାନଙ୍କୁ ସେ ମାଗଣାରେ ଅଟୋରେ ଡାକ୍ତରଖାନାକୁ ନେଉଥିବାବେଳେ ନିଜ ଖର୍ଚ୍ଚରେ ବନ୍ତଳା ଛକରେ ସର୍ବସାଧାରଣଙ୍କ ପାଇଁ ଏକ ଶୌଚାଳୟ ନିର୍ମାଣ କରିଛନ୍ତି ।

ଗରିବ ଲୋକଙ୍କୁ ମାଗଣାରେ ଡାକ୍ତରଖାନାକୁ ନେବା ପାଇଁ ସେ ଏକ ବ୍ୟାଟେରି ଚାଳିତ ଅଟୋ କିଣିଛନ୍ତି । ଦୁଇବର୍ଷରୁ ଅଧିକ ସମୟ ହେଲା ସେହି ଅଟୋରେ ଗରିବ ଲୋକଙ୍କୁ ଡାକ୍ତରଖାନାକୁ ବୋହୁଛନ୍ତି। ଦିନ ହେଉ କି ରାତି, ଯେତେବେଳେ ଡାକରା ଆସେ ସେ ସିଧା ପହଞ୍ଚିଯାଆନ୍ତି ରୋଗୀଙ୍କ ପାଖରେ । ବନ୍ତଳା ଛକ ଏକ ଜନଗହଳିପୂର୍ଣ ସ୍ଥାନ । ଏହି ଛକକୁ ଅନୁଗୁଳ ବ୍ଲକ୍‌ର 

୧୫ରୁ ଅଧିକ ପଞ୍ଚାୟତ ଲୋକ ବିଭିନ୍ନ କାର୍ୟ୍ୟରେ ଏଠାକୁ ଯାତାୟାତ କରିଥାଆନ୍ତି । ଶୌଚାଳୟଟିଏ ନଥିବାରୁ ମହିଳାଙ୍କଠୁ ପୁରୁଷ, ସମସ୍ତେ ସମସ୍ୟା ଭୋଗୁଥିଲେ । ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ସମସ୍ୟାର ସମାଧାନ ପାଇଁ ନରେନ୍ଦ୍ର ବନ୍ତଳା ଛକରେ ନିଜ ଜାଗାରେ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏକ ଶୌଚାଳୟ ନିର୍ମାଣ କରିଛନ୍ତି । ସେବାପରାୟଣ ନରେନ୍ଦ୍ରଙ୍କୁ ବାସ୍ତବ ଜୀବନରେ ରିୟଲ ହିରୋର ଆଖ୍ୟା ଦେଇଛନ୍ତି ଅଞ୍ଚଳବାସୀ ।