କନକ ବ୍ୟୁରୋ : ଶେଷରେ ଟ୍ରାଙ୍କୁଲାଇଜ୍ ହେଲା ନରହନ୍ତା ଦନ୍ତା ବାରିପଦା ରେଞ୍ଜ ବେତନଟୀ ଥାନା ତସରଡ଼ା ବାଦଲସାହି ଅଞ୍ଚଳରେ ହାତୀକୁ କରାଗଲା ଟ୍ରାଙ୍କୁଲାଇଜ୍ । ଟ୍ରାଙ୍କୁଲାଇଜ୍ ପରେ ମଧ୍ୟ ହାତୀଟି ଜଙ୍ଗଲ ମଧ୍ୟରେ କିଛି ଦୁରକୁ ଚାଲିଯାଇଥିଲା । ଦୀର୍ଘ ୫-୬ ଘଣ୍ଟାର ଅପରେସନ୍ ପରେ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ସ୍ଥାନାନ୍ତରିତ କରିବାରେ ସଫଳ ହେଲା ବନବିଭାଗ । ଟ୍ରାଙ୍କୁଲାଇଜ୍ ପରେ ହାତୀଟି ସମ୍ପୂର୍ଣ୍ଣ ବେହୋସ ହେବାର କିଛି ସମୟ ପରେ ପ୍ରଥମେ ହାତୀ ମୁହଁରେ କପଡା ଘୋଡାଇ ବଡ଼ ବଡ଼ ଜଞ୍ଜିର,ଦୌଡ଼ି ଓ ବେଲ୍ଟ ସାହାଯ୍ୟରେ ବନ୍ଧା ହେବା ପରେ ହାଇୱାରେ ଲୋଡ଼ କରି କୌଣସି ଏକ ସୁରକ୍ଷିତ ସ୍ଥାନକୁ ହାତୀକୁ ନେଇଯାଇଥିବା ଜଣାପିଡ଼ିଛି । ଏଲିଫେଣ୍ଟ ଅପରେସନରେ ବନବିଭାଗର ଅନେକ ଉପରିସ୍ଥ ଅଧିକାରୀଙ୍କ ସହିତ ଅନେକ ବନ କର୍ମଚାରୀ, ଆସାମର ତାଲିମ ପ୍ରାପ୍ତ ମାହୁନ୍ତ ଓ ଅନେକ ଗଜସାଥୀ ଯୋଗ ଦେଇଥିଲେ ।
ସୂଚନା ମୁତାବକ ହାତୀଟିକୁ ରାତିରେ ସିଧାସଳଖ କପିଳାସ ନିଆଯାଇଥିବାର ସୂଚନା ରହିଛି । ସେଠାରେ ପହଞ୍ଚିବା ପରେ ହାତୀର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏବଂ ହାତୀଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ଜାଣିବା ପରେ ତାକୁ କପିଳାସ ଜଙ୍ଗଲରେ ଛଡ଼ାଯିବା ନେଇ ସୂଚନା ରହିଛି । ତେଣୁ ଆଜିଠାରୁ ଦନ୍ତାର ନୂଆ ଠିକଣା କପିଳାସ ଜଙ୍ଗଲ ବୋଲି କୁହାଯାଇପାରେ । ବାରିପଦା ରେଞ୍ଜ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ଦନ୍ତା ହାତୀ । ୩ ଦିନରେ ୪ ଜଣଙ୍କ ଜୀବନ ନେଇଥିବା ବେଳେ ହାତୀ କାବୁ କରିବାକୁ ଆସିଥିଲେ ଆସାମର ସ୍ବତନ୍ତ୍ର ଟିମ୍ । ଜଣକ ପରେ ଜଣଙ୍କୁ ଏହି ହାତୀଟି ମାରିଚାଲିଥିଲା । ଫଳରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଖେଳିଯାଇଥିଲା । ହାତୀ ଭୟରେ ଲୋକଙ୍କ ଘରର ତାଟିକବାଟ ପଡ଼ିଯାଉଥିଲା । ରାସ୍ତାକୁ କେହି ବାହାରିବାକୁ ଡରୁଥିଲେ । ତେବେ ଆସାମରୁ ସ୍ବତନ୍ତ୍ର ଟିମ୍ ଟ୍ରାଙ୍କୁଲାଇଜ୍ କରିବାକୁ ଆସିଥିଲା, ଆଉ ଏହି ଟିମ୍ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରଛି ।