କନକ ବ୍ୟୁରୋ: ଭୁବନେଶ୍ବରର ନନ୍ଦନବିହାରର ଡମ୍ପିୟାର୍ଡ ଏବେ ସ୍ଥାନୀୟ ଲୋକଙ୍କ ପାଇଁ କାଳ ପାଲଟିଛି । ପରିବେଶ ଅସ୍ବାସ୍ଥ୍ୟକର ହୋଇପଡିଥିବାରୁ ଘର ଛାଡୁଛନ୍ତି ଲୋକେ । ବିଏମସି ଅଭିଯୋଗ ଶୁଣୁନଥିବାବେଳେ ପ୍ରଶାସନ ଚୁପ୍ ହୋଇ ବସିଛି ।
ଭୁବନେଶ୍ବରର ଜନଗହଳିପୂର୍ଣ୍ଣ ପଟିଆ ନିକଟ ନନ୍ଦନବିହାର। ଦୁର୍ଗନ୍ଧରେ ଫାଟିପଡୁଛି ପୁରା ପରିବେଶ। ପ୍ରାୟ ୧୦ ହଜାର ଲୋକ ରହୁଥିବା ନନ୍ଦନବିହାରବାସୀଙ୍କ ପାଇଁ ଏହି ଡମ୍ପିଂୟାର୍ଡ ଏବେ ବଡ ସମସ୍ୟା ପାଲଟିଛି । କୁଢ କୁଢ ଅଳିଆ କଲୋନି ନିକଟରେ ପଡିବାରୁ ଆଖପାଖ ଅଂଚଳରେ ରହିବା ମୁସ୍କିଲ ହୋଇଗଲାଣି। ପରିସ୍ଥିତି ଅସହ୍ୟ ହେବାରୁ ଲୋକେ ଘର ଛାଡି ଚାଲିଯାଉଛନ୍ତି । ଏପରିକି ବଡ ବଡ କୋଠା ଓ ଆପାର୍ଟମେଂଟ ଖାଲି ହେବାକୁ ବସିଲାଣି । ଯେଉଁମାନେ ରହୁଛନ୍ତି, ସେମାନେ ଅତି କଷ୍ଟରେ ଘର କବାଟ ଓ ଝରକା ବନ୍ଦ କରି ରଖୁଛନ୍ତି ।
ଭୁବନେଶ୍ବରରୁ ବାହାରୁଥିବା ଆବର୍ଜନା ସହ ଘରୋଇ ଅଳିଆ ନନ୍ଦନବିହାରରେ ଜମା ହୋଇ ରହୁଛି । ଆଉ ଅସରାଏ ବର୍ଷା ହେଲେ ଦୁର୍ଗନ୍ଧ ଚାରିଆଡେ ବ୍ୟାପି ଯାଉଛି। ପଶୁଙ୍କ ମୃତଦେହ ବି ଏଠାରେ ଫିଙ୍ଗାଯାଉଥିବା ଅଭିଯୋଗ ହୋଇଛି । ନନ୍ଦନବିହାର ଅଂଚଳରେ ନାଳ, ନର୍ଦ୍ଦମା ଓ ପାଇଖାନା ପାଣି ପଶୁଥିବାରୁ ଭୂତଳ ଜଳ ପ୍ରଦୂଷିତ ହେଉଛି । ଯାହାକୁ ବ୍ୟବହାର କରି ଲୋକେ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଥିବା କହିଛନ୍ତି ।
ଦୀର୍ଘଦିନ ଧରି ଲୋକେ ଏଭଳି ସମସ୍ୟା ଭୋଗୁଥିବାବେଳେ ବିଏମସିକୁ ପଚାରିବାରୁ ଛୁଟିଦିନ କହି କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି କର୍ତୃପକ୍ଷ।