କନକ ବ୍ୟୁରୋ : ଆଦିବାସୀ ଗାଁରେ ଶିକ୍ଷାର ଆଲୋକ ବାଣ୍ଟୁଛନ୍ତି ସେଇ ଗାଁର ଜଣେ ଝିଅ । ସରକାର ନଶୁଣିଲେ କଣ ହେଲା, ନିଜ ହାତକୁ ନେଇଛନ୍ତି ଶିକ୍ଷାଦାନର ଭାର । ପ୍ରଧାନଶିକ୍ଷକଙ୍କ ବ୍ୟତୀତ ଗାଁ ସ୍କୁଲରେ ଆଉ ଜଣେ ବି ଶିକ୍ଷକ ନଥିବାରୁ, ସେ ଆଗେଇ ଆସିଛନ୍ତି ଏକ ମହତ ଉଦ୍ଦେଶ୍ୟ ନେଇ । ସରକାରଙ୍କ ନଥିରେ ସେ ଶିକ୍ଷୟିତ୍ରୀ ନୁହନ୍ତି... ହେଲେ ଏ ସ୍କୁଲ ପାଇଁ ସେ ଶିକ୍ଷୟିତ୍ରୀଠୁ କିଛି କମ୍ ନୁହନ୍ତି । ସେ ନଥିଲେ, ଆଜି ଖାଲି ପଡ଼ିଥାନ୍ତା ଏ କଳାପଟା , ବସ୍ତାନିରୁ ବାହାରିନଥାନ୍ତା ବହିଖାତା । ହେଲେ ଗାଁ ପିଲାଙ୍କ ଭବିଷ୍ୟତ ଅଶିକ୍ଷାର ଅନ୍ଧାରରେ ହଜିବା ଆଗରୁ, ଆଗେଇ ଆସିଛନ୍ତି ସେଇ ଗାଁର ଜଣେ ଶିକ୍ଷିତ ଝିଅ । ନାଁ ତାଙ୍କର ‘ନମିତା’... ଆଦିବାସୀ ମୁଲକରେ ଜାଳୁଛନ୍ତି ଶିକ୍ଷାର ସଳିତା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ମାଦିନାଟ ଆଶ୍ରମ ସ୍କୁଲରେ ପ୍ରଧାନଶିକ୍ଷକଙ୍କ ବ୍ୟତୀତ ଆଉ ଜଣେ ବି ଶିକ୍ଷକ ନଥିବାରୁ, ସେ ନିଜ ଆଡ଼ୁ ଆଗେଇ ଆସିଛନ୍ତି ପିଲାଙ୍କୁ ପାଠ ପଢ଼ାଇବା ପାଇଁ । ବର୍ଷେରୁ ଅଧିକ ସମୟ ହେବ ବିନା ପାରିଶ୍ରମିକରେ ପିଲାଙ୍କୁ ନିଷ୍ଠାର ସହ ପାଠ ପଢ଼ାଇ ଚାଲିଛନ୍ତି ।
ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଏହି ସ୍କୁଲରେ ପଢ଼ୁଛନ୍ତି ଶିଶୁ ବାଟିକାଠୁ ପଞ୍ଚମ ଶ୍ରେଣୀ ଯାଏ ୪୫ ଜଣ ଛାତ୍ରଛାତ୍ରୀ । ହେଲେ ବିଡ଼ମ୍ୱନା, ୨ ବର୍ଷ ହେବ କେବଳ ପ୍ରଧାନଶିକ୍ଷକଙ୍କୁ ନେଇ ଚାଲିଛି ସ୍କୁଲ୍ । ସେ ଅଫିସ କାର୍ଯ୍ୟରେ ବାହାରକୁ ଗଲେ ସ୍କୁଲ ଅଚଳ, ପିଲାଙ୍କ ପାଠ ପଢ଼ା ବନ୍ଦ । ଏଭଳି ସ୍ଥିତିରେ, ଆଦିବାସୀ ଝିଅଟିଏ ହେଲେ ବି, ଶିକ୍ଷାର ଗୁରୁତ୍ୱକୁ ଖୁବ୍ ଭଲରେ ବୁଝିଛନ୍ତି ନମିତା ମଳିକ । ଅର୍ଥାଭାବ କାରଣରୁ ନିଜେ ଯୁକ୍ତ ଦୁଇ ପରେ ଆଉ ଆଗକୁ ପଢ଼ି ପାରିନଥିବା ନମିତା, ଘରେ ବସିବା ଅପେକ୍ଷା ସ୍କୁଲରେ ପାଠ ପଢ଼ାଇବାକୁ ଉଚିତ ମଣିଛନ୍ତି । ଦରମା କଥା ନଭାବି, ନିଇତି ନିଜକୁ ହଜାଇ ଦେଉଛନ୍ତି ପିଲାଙ୍କ ସ୍ନେହବୋଳା ଦିଦି ଦିଦି ଡାକରେ ।
ଅଧିକ ପଢ଼ନ୍ତୁ---ପ୍ରଦୂଷଣ ଯାଞ୍ଚ ଭ୍ୟାନ୍ ଆଗରେ ପ୍ରବଳ ଭିଡ଼ ; ସରକାରୀ ଘୋଷଣା ପରେ ଲୋକ ଛାନିଆ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/22/namita-2025-12-22-19-37-45.jpg)