କନକ ବ୍ୟୁରୋ : ଓଡ଼ିଆରେ ନାମ ଫଳକ ଲେଖିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଯାଉଛି ବ୍ରହ୍ମପୁର ମହାନଗର ନିଗମ । ଏ ନେଇ ୫୫ ଦିନିଆ ନୋଟିସ୍ ଜାରି କରିବା ସହ ସମୟ ସୀମା ଭିତରେ ଏହାକୁ କାର୍ଯ୍ୟକାରୀ କରିବାକୁ ଡେଡ୍‌ଲାଇନ ବି ଦେଇଛି । ଆଉ ନିୟମ ନମାନିଲେ ତଣ୍ଡ ଗଣିବେ ବ୍ୟାବସାୟିକ ପ୍ରତିଷ୍ଠାନ । ବ୍ରହ୍ମପୁର ସହରର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଏଣିକି ନାମ ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ । ସାଇନ୍‌ ବୋର୍ଡରେ ଅତିକମ୍‌ରେ ୬୦ ପ୍ରତିଶତ ଲେଖା ଓଡ଼ିଆରେ ରହିବା ଆବଶ୍ୟକ । ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ବ୍ରହ୍ମପୁର ମହାନଗର ନିଗମ । ଆଉ ନିୟମ ନମାନିଲେ ଦେବାକୁ ପଡ଼ିବ ୪୦୦ ଟଙ୍କା ଜରିମାନା । 

Advertisment

ବିଳମ୍ବ ହେଲେ ମଧ୍ୟ ମାତୃଭାଷାକୁ ବଞ୍ଚାଇ ରଖିବାକୁ ବିଇଏମ୍‌ସିର ଏ ପଦକ୍ଷେପ ସ୍ବାଗତଯୋଗ୍ୟ । ଆଉ ଯେଉଁମାନେ ଏ ନିୟମ ମାନିବେ ସେମାନଙ୍କ ଲାଗି ପ୍ରୋତ୍ସାହନ ରାଶି ବି ରହିଛି । ନିର୍ଦ୍ଧାରିତ ସମୟ ଭିତରେ ନିୟମ ପାଳନ କରିଥିବା ବ୍ୟାବସାୟିକ ପ୍ରତିଷ୍ଠାନକୁ ପ୍ରୋତ୍ସାହନ ସ୍ବରୂପ ଟ୍ରେଡ୍‌ ଲାଇସେନ୍ସ ନବୀକରଣ ବେଳେ ମିଳିବ ୫ ପ୍ରତିଶତ ରିହାତି । ମହାନଗର ନିଗମର ଏ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଏହାର ପ୍ରଭାବ ସାରା ଦକ୍ଷିଣ ଓଡ଼ିଶାରେ ପଡ଼ିବା ସହ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହେବ ।