କନକ ବ୍ୟୁରୋ : ଏପ୍ରିଲ ପହିଲା ଉତ୍କଳ ଦିବସରୁ ସାରା ରାଜ୍ୟରେ ପାଳନ ହେଉଛି ଓଡ଼ିଆ ପକ୍ଷ । ଆଜି ଚତୁର୍ଥ ଦିନରେ ଓଡ଼ିଆରେ ନାମଫଳକ ଅଭିଯାନ ପାଇଁ ସାରା ରାଜ୍ୟରେ ହୋଇଥିଲା ସଚେତନତା ଶୋଭାଯାତ୍ରା । ସବୁ ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନରେ ଇଂରାଜୀ ବଦଳରେ ଓଡ଼ିଆରେ ନାମଫଳକ ବ୍ୟବହାର ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା ।
ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଓଡ଼ିଆ ପକ୍ଷର ଚତୁର୍ଥ ଦିନରେ ଆଜି ରାଜଧାନୀରେ ବାହାରିଥିଲା ଓଡ଼ିଆ ନାମଫଳକ ସଚେତନତା ରଥ । ଖୋଦ୍ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପଦଯାତ୍ରାରେ ସାମିଲ୍ ହୋଇ ଦେଇଥିଲେ ସଚେତନତାର ବାର୍ତ୍ତା । ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଥିବା ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବାକୁ ଆହ୍ୱାନ କରିଥିଲେ ମନ୍ତ୍ରୀ ।
ପୁରୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଛି ସଚେତନତା ପଦଯାତ୍ରା । ବାଣିଜ୍ୟିକ ପ୍ରତିଷ୍ଠାନ ହେଉ କି ସରକାରୀ ଦପ୍ତର, ଓଡ଼ିଆରେ ନାମଫଳକ ଲେଖିବାକୁ ବୁଲି ବୁଲି ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ କଣ୍ଟାବାଞ୍ଜି ଏନଏସି ଅଫିସରୁ ଏକ ରାଲି ବାହାରି ନଗର ପରିକ୍ରମା କରିଥିଲା । ଶତାଧିକ ଲୋକ ସାମିଲ୍ ହୋଇ ପ୍ଲାକାର୍ଡ ମାଧ୍ୟମରେ ସଚେତନ କରିଥିଲେ । ସେପଟେ ଦେବଗଡ଼ ଜିଲ୍ଲାରେ ହୋଇଥିବା ସଚେତନତା ଶୋଭାଯାତ୍ରାରେ ସାମିଲ୍ ହୋଇଥିଲା ପ୍ରଶାସନ । ବିଭିନ୍ନ ଦୋକାନକୁ ଯାଇ ଫଳକ ଓଡ଼ିଆରେ ଲେଖିବାକୁ ଅନୁରୋଧ କରିଥିଲେ ପ୍ରଶାସନିକ ଅଧିକାରୀ ।
ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାର ପ୍ରାୟ ୯ ବର୍ଷ ପରେ ବି ନିର୍ଭୁଲ ଭାବେ ଓଡ଼ିଆରେ ନାମଫଳକ ଲାଗୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ଭାଷାବିତ୍ । ତେବେ ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ଓଡ଼ିଆ ପକ୍ଷ ପାଳନ କେତେଦୂର ଫଳପ୍ରଦ ହେଉଛି, ତାହା ଆଗାମୀ ଦିନରେ ଜଣାପଡ଼ିବ ।